ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ପାଣିରେ ବୁଡ଼ି ଅଣନିଶ୍ବାସୀ ହୋଇ ପ୍ରାଣ ହରାଇଥିବା ସୂଚନା 

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି | ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁର ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ପାଣିରେ ବୁଡ଼ି ଅଣନିଶ୍ବାସୀ ହେବାରୁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟ ଦର୍ଶାଯାଇଛି । ତେବେ ଚନ୍ଦ୍ରିକାଙ୍କୁ ହତ୍ୟା କରାଯାଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାର କୌଣସି ସତ୍ୟତା ନାହିଁ । କାରଣ ହତ୍ୟା କରାଯାଇଥିବା ନେଇ ପୋଷ୍ଟ ମର୍ଟମ ରିପୋର୍ଟରେ କିଛି ଉଲ୍ଲେଖ କରାଯାଇ ନାହିଁ । ସୂଚନାନୁସାରେ, ବାରଙ୍ଗ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତଦେହ ଜବତ ଘଟଣାରେ ପୋଲିସ ସନ୍ଦେହରେ ତାଙ୍କ ଓଏଏସ୍‌ ପୁରୁଷବନ୍ଧୁ ଆସିଛନ୍ତି।ପ୍ରେମ ବ୍ୟାପାରକୁ ନେଇ ପୁରୁଷବନ୍ଧୁ ଭୀମସେନ ଜଣେ ଯୁବତୀଙ୍କ ସହ ମିଶି ଚନ୍ଦ୍ରିକାଙ୍କୁ ହତ୍ୟା କରିଥିବା ଚନ୍ଦ୍ରିକାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ମାମଲାର ତଦନ୍ତ ବେଳେ ପୋଲିସ ଚନ୍ଦ୍ରିକାଙ୍କ ପୁରୁଷବନ୍ଧୁ ଓ ଚନ୍ଦ୍ରିକାଙ୍କ ମା’ଙ୍କ ମଧ୍ୟରେ କଥାବାର୍ତ୍ତାର ଫୋନ କଲ ଅଡିଓ ପାଇଛି। ଚନ୍ଦ୍ରିକାଙ୍କ ସହ ଦୀର୍ଘ ଦିନର ପ୍ରେମ ସମ୍ପର୍କ ଭିତରେ ଦ୍ବିତୀୟ ଯୁବତୀ ଆସିବା ପରେ ଓଏଏସ୍‌ ତାଲିମ ନେଉଥିବା ପୁରୁଷବନ୍ଧୁ ଭୀମସେନ ମାନସିକ ନିର୍ଯାତନା ଦେଇ ଚନ୍ଦ୍ରିକାଙ୍କୁ ଚାପରେ ରଖିବା ଆରମ୍ଭ କରିଥିଲେ। ଚନ୍ଦ୍ରିକା ଗୋରା ନ ଥିବାରୁ ତାଙ୍କୁ ବାହା ହେବାକୁ ରାଜି ହେଉ ନ ଥିଲେ ପୁରୁଷବନ୍ଧୁ। ଗୋରା ହେବାକୁ କସ୍‌ମେଟିକ ଟ୍ରିଟମେଣ୍ଟ ନେବା ପାଇଁ ଚନ୍ଦ୍ରିକା ସପ୍ତାହରେ ଥରେ ଭୁବନେଶ୍ବର ଆସି ଇଞ୍ଜେକ୍‌ଶନ ନେଉଥିଲେ। ଗୋରା ହେବା ପରେ ତାଙ୍କ ପୁରୁଷବନ୍ଧୁ ବିବାହ ପାଇଁ ରାଜି ହୋଇଯିବେ ବୋଲି ସେ ଭାବୁଥିବା ଚନ୍ଦ୍ରିକାଙ୍କ ମା’ ହିରାମଣି ପୋଲିସକୁ କହିଥିଲେ।ସେପଟେ ଚନ୍ଦ୍ରିକାଙ୍କ ପିଏମ୍ ରିପୋର୍ଟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର ସଦସ୍ୟ । ଚନ୍ଦ୍ରିକା ପାଣିରେ ବୁଡିବା ଅସମ୍ଭବ । କାହିଁକି ନା ଯେଉଁ ସ୍ଥାନରୁ ମୃତଦେହ ମିଳିଲା ସେଠାରେ ବହୁତ କମ୍ ପାଣି ଥିଲା । ଏତେ ଉଚ୍ଚରୁ ଡେଇଁ ଅଳ୍ପ ପାଣିରେ ବୁଡିବା ଅସମ୍ଭବ । ଚନ୍ଦ୍ରିକାଙ୍କୁ ପାଣିରେ ଜୋର ଜବରଦସ୍ତ ବୁଡାଇ ହତ୍ୟା କରାଯାଇଥାଇପାରେ ନଚେତ ଆଉ କେଉଁଠୁ ଶ୍ୱାସରୁଦ୍ଧ କରି ହତ୍ୟା କରି ଆଣି ସେଠାରେ ଫୋପାଡ଼ି ଦିଆଯାଇଥାଇପାରେ ବୋଲି କହିଛନ୍ତି ଚନ୍ଦ୍ରିକାଙ୍କ ଭାଇ ।