ଦଶହରା ପାଇଁ ଗଣିଆ ବ୍ଲକରେ ପ୍ରସ୍ତୁତି ପର୍ବ: ମୂର୍ତ୍ତି ନିର୍ମାଣରେ ଦିନରାତି ନିମଗ୍ନ କାରିଗର
ଗଣିଆ:(ବିଶ୍ୱରଂଜନ ସେଠି )ପବିତ୍ର ଶାରଦୀୟ ଦୁର୍ଗାପୂଜା ଓ ଦଶହରା ପର୍ବ ଯେତିକି ପାଖେଇ ଆସୁଛି, ଗଣିଆ ବ୍ଲକର ବିଭିନ୍ନ ଗାଁ ଓ ପୂଜା ମଣ୍ଡପଗୁଡ଼ିକରେ ସେତିକି ଉତ୍ସାହ ଓ ଉଦ୍ଦୀପନା ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷର ପୂଜାକୁ ଧୂମଧାମରେ ପାଳନ କରିବା ପାଇଁ ସ୍ଥାନୀୟ କମିଟିଗୁଡ଼ିକ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଗାଁ ଗାଁରେ ଏବେ ଦଶହରା ମାହୋଲ ସୃଷ୍ଟି ହୋଇଛି।ବିଶେଷ କରି ମୃଣ୍ମୟୀ ପ୍ରତିମା ନିର୍ମାଣରେ କାରିଗରମାନେ ସମ୍ପୂର୍ଣ୍ଣ ନିମଗ୍ନ ଅଛନ୍ତି। ଗଣିଆ ବ୍ଲକର ଗଣିଆ, ଛାମୁଣ୍ଡିଆ, ରାସଙ୍ଗ, ଆଡ଼କଟା, ବେଲପଡାପାଟଣା , କିଶୋରପ୍ରସାଦ, କରଡ଼ାପଡା ଓ ଅନ୍ୟାନ୍ୟ ପ୍ରମୁଖ ଗ୍ରାମଗୁଡ଼ିକରେ ଥିବା କାରିଗରଶାଳାରେ ଦିନରାତି ଏକ କରି ପ୍ରତିମା ଗଢ଼ା ଚାଲିଛି। ମା’ ଦୁର୍ଗାଙ୍କ ଆଗମନକୁ ଆଖି ଆଗରେ ରଖି କାରିଗରମାନେ ମାଟି ପ୍ରସ୍ତୁତି, କାଠ-ବାଉଁଶର କାଠି ବାନ୍ଧିବାଠାରୁ ଆରମ୍ଭ କରି ମୂର୍ତ୍ତି ଆକାର ଦେବାରେ ବ୍ୟସ୍ତ ଅଛନ୍ତି।ମୂର୍ତ୍ତି ଗଢ଼ୁଥିବା ସ୍ଥାନୀୟ ଓ ବାହାରୁ ଆସିଥିବା ମୃତ୍ତିକା ଶିଳ୍ପୀମାନେ ମା’ଙ୍କ ରୂପକୁ ଅତି ଜୀବନ୍ତ ଓ ଭକ୍ତିପୂର୍ଣ୍ଣ କରିବା ପାଇଁ ନିଜର ଶ୍ରେଷ୍ଠ କଳା ପ୍ରଦର୍ଶନ କରୁଛନ୍ତି। ଖୁବ୍ଶୀଘ୍ର ମୂର୍ତ୍ତିଗୁଡ଼ିକରେ ରଙ୍ଗ ବୋଳାଯିବା ସହ ବସ୍ତ୍ର ଓ ଅଳଙ୍କାର ଲାଗି କରାଯିବ।କେବଳ ମୂର୍ତ୍ତି ନିର୍ମାଣ ନୁହେଁ, ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ତୋରଣ, ଆଲୋକସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଦୀର୍ଘ ଦିନ ପରେ ପୂଜା ପାଖେଇ ଆସୁଥିବାରୁ ଗାଁ ଗୁଡ଼ିକରେ କ୍ଲବ, ସ୍ୱେଚ୍ଛାସେବୀ ଓ ଭକ୍ତଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ ଓ ଉଲ୍ଲାସ ଦେଖିବାକୁ ମିଳୁଛି।