ନଵୀକୃତ କଳିଙ୍ଗ ଷ୍ଟୁଡିଓର ହେଲା ଲୋକାର୍ପଣ

ନଵୀକୃତ କଳିଙ୍ଗ ଷ୍ଟୁଡିଓର ହେଲା ଲୋକାର୍ପଣ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନବୀକରଣ ପରେ ନୂଆ ରୂପରେ ଫେରିଛି ଐତିହାସିକ କଳିଙ୍ଗ ଷ୍ଟୁଡିଓ । ଏଣିକି ଓଡ଼ିଶାରେ ହିଁ ମିଳିବ ବରଫର ମଜା । ଫିଲ୍ମ ଶୁଟିଂ ସହ ପର୍ଯ୍ୟଟନ ଓ ମନୋରଞ୍ଜନର ନୂଆ କେନ୍ଦ୍ର ଭାବେ କଳିଙ୍ଗ ଷ୍ଟୁଡିଓକୁ ବିକଶିତ କରାଯାଇଛି । ସ୍ନୋ ୱାର୍ଲ୍ଡ ପାଇଁ ମଧ୍ୟ ପ୍ରବେଶ ଟିକେଟ୍ ବ୍ୟବସ୍ଥା ରହିଛି । ଫଳରେ ରାଜଧାନୀରେ ମନୋରଞ୍ଜନ ସହ ନୂଆ ପର୍ଯ୍ୟଟନ ଅନୁଭୂତି ପାଇବାର ସୁଯୋଗ ମିଳିବ ।ଦୀର୍ଘ ୨୭ ବର୍ଷ ପରେ ନୂଆ ରୂପରେ କଳିଙ୍ଗ ଷ୍ଟୁଡିଓକୁ ଦେଖିବେ ଦର୍ଶକ। ସରକାର ପ୍ରାୟ ୧୬୪ କୋଟି ଟଙ୍କା ବ୍ୟୟରେ କଳିଙ୍ଗ ଷ୍ଟୁଡିଓକୁ ନୂଆ ରୂପ ଦେଇଛନ୍ତି। ୮୦ ଓ ୯୦ ଦଶକରେ କଳିଙ୍ଗ ଷ୍ଟୁଡିଓ ଥିଲା ଓଡ଼ିଆ ସିନେମାର ଅନ୍ୟତମ ପ୍ରମୁଖ କେନ୍ଦ୍ର। ସେତେବେଳେ ଓଡ଼ିଆ ପ୍ରଯୋଜକମାନଙ୍କୁ ସୁଟିଂ ପାଇଁ କୋଲକାତା କିମ୍ବା ମାଡ୍ରାସ ଯିବାର ଆବଶ୍ୟକତା ପଡ଼ୁନଥିଲା। ବରଂ କୋଲକାତା, ଆସାମ ଓ ଦକ୍ଷିଣ ଭାରତର ବହୁ ଫିଲ୍ମ ନିର୍ମାତା ଏଠାକୁ ସୁଟିଂ ପାଇଁ ଆସୁଥିଲେ। ଓଡ଼ିଆ ସିନେମା ସହିତ ବାହାର ରାଜ୍ୟର ଫିଲ୍ମ ନିର୍ମାଣ ପାଇଁ ମଧ୍ୟ କଳିଙ୍ଗ ଷ୍ଟୁଡିଓର ଥିଲା ଅଲଗା ପରିଚୟ।କିନ୍ତୁ ୧୯୯୯ ମହାବାତ୍ୟା ପରେ ଷ୍ଟୁଡିଓର ଚେହେରା ବଦଳିଯାଇଥିଲା। ଧୀରେ ଧୀରେ ଏହାର ଭିତ୍ତିଭୂମି ଦୁର୍ବଳ ହେବା ସହ ସୁଟିଂ କାର୍ଯ୍ୟକଳାପ ମଧ୍ୟ ପ୍ରାୟ ଠପ୍ ହୋଇଯାଇଥିଲା। ଯେଉଁ ଷ୍ଟୁଡିଓ କେବେ କଳାକାରଙ୍କ ଗହଳିରେ ଫାଟିପଡ଼ୁଥିଲା, ସେହି ସ୍ଥାନ ଦୀର୍ଘ ବର୍ଷ ଧରି ପ୍ରାୟ ନିରବ ହୋଇପଡ଼ିଥିଲା।

ପରବର୍ତ୍ତୀ ସମୟରେ ୨୦୨୧ ମାର୍ଚ୍ଚରେ କଳିଙ୍ଗ ଷ୍ଟୁଡିଓକୁ ନୂଆ ରୂପ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେତେବେଳେ ପ୍ରାୟ ୨୦୦ କୋଟି ଟଙ୍କାର ବ୍ୟୟ ବରାଦ ସହ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ହେଲେ ବିଭିନ୍ନ କାରଣରୁ କାମରେ ବିଳମ୍ବ ହୋଇଥିଲା। ବର୍ତ୍ତମାନ ସରକାର ବାକି କାମ ଶେଷ କରିବା ପରେ ଷ୍ଟୁଡିଓ ଏବେ ଉଦଘାଟନ ହୋଇଛି।