ପଶ୍ଚିମବଙ୍ଗରେ ପ୍ରଥମ ଥର ଫୁଟିଲା ପଦ୍ମ। ଆସିଲା ମମତାଙ୍କ ପ୍ରଥମ ଚାଞ୍ଚଲ୍ୟକର ବୟାନ
ପଶ୍ଚିମବଙ୍ଗ ରାଜନୀତିରେ ବିଜେପିର ଐତିହାସିକ ବିଜୟ । କଡ଼ା ମୁକାବିଲାରେ ଶାସକ ଟିଏମସି ୮୩ ଆସନରେ ବିଜୟୀ ହେବାକୁ ସକ୍ଷମ ହୋଇଛି । ବିଜେପି ୨୦୪ ଆସନ ହାତେଇବାରେ ସକ୍ଷମ ହୋଇଛି । ପ୍ରଥମ ଥର ପାଇଁ ବଙ୍ଗରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାରୁ ଦଳୀୟ ଶିବିର ଉତ୍ସବ ମୁଖର ।ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି, ଆଜି ଏକ ଐତିହାସିକ ଦିନ। ଯେତେବେଳେ ବର୍ଷ ବର୍ଷର ସମର୍ପଣ ଏବଂ କଠିନ ପରିଶ୍ରମ ସଫଳତାରେ ପରିଣତ ହୁଏ, ସେତେବେଳେ ଯେଉଁ ଆନନ୍ଦ ମିଳେ, ତାହା ଚେହେରାକୁ ଆଲୋକିତ କରେ। ସେହି ଆନନ୍ଦ ଆଜି ମୁଁ ସାରା ଦେଶର ଭାଜପା କର୍ମୀଙ୍କ ମୁହଁରେ ଦେଖୁଛି। ଏହି ଦିନଟି ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର। ଏହା ଏପରି ଏକ ଦିନ ଯାହା ଦେଶ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦିଏ।ଏହି ସମୟରେ ମମତା ବାନାର୍ଜୀ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, “ମୋତେ ମାଡ଼ ମରାଯାଇଥିଲା… ସିଏପିଏଫ୍ର ଲୋକମାନେ ମୋତେ ମାଡ଼ ମାରିଥିଲେ।” ଟିଏମ୍ସି ଅଧ୍ୟକ୍ଷା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, “ମୋତେ ଭିତରକୁ ଯିବାକୁ ମଧ୍ୟ ଅନୁମତି ଦିଆଗଲା ନାହିଁ… ଏହା ପକ୍ଷପାତିତାପୂର୍ଣ୍ଣ। ସେମାନେ ମୋତେ ଠେଲାପେଲା କରିଥିଲେ, ପିଟିଥିଲେ। ସେମାନେ ସବୁଠି ଗୁଣ୍ଡା ନିୟୋଜିତ କରିଛନ୍ତି। ମୁଁ ଜଣେ ପ୍ରାର୍ଥୀ, ତଥାପି ସେମାନେ ମୋତେ ଭିତରକୁ ଛାଡ଼ି ନଥିଲେ।”କେନ୍ଦ୍ରୀୟ ବାହିନୀ ଏବଂ ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସହ ମିଶି ନିର୍ବାଚନ କମିଶନ ଯାହା କରିଛି ତାହା ସମ୍ପୂର୍ଣ୍ଣ ବେଆଇନ। ଏହା ଲୁଟ, ଲୁଟ, ଲୁଟ। ଆମେ ପ୍ରତିରୋଧ କରିବୁ।