ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ

ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିବା ପରେ ରାଜ୍ୟପାଳ ସାମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ ମନ୍ତ୍ରିମଣ୍ଡଳକୁ ବରଖାସ୍ତ କରିଛନ୍ତି।ନୂଆ ବିଧାନସଭା ଗଠନ ପ୍ରକ୍ରିୟା ଶେଷ ହୋଇଥିବାରୁ ପୁରୁଣା ବିଧାନସଭାକୁ ଭଙ୍ଗ କରାଯାଇଛି।ପଶ୍ଚିମବଙ୍ଗରେ ଭାଜପାର ପ୍ରଥମ ସରକାରଙ୍କ ଶପଥ ଗ୍ରହଣ ସମାରୋହ ମେ ୯ରେ କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।ଲୋକଭବନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ରାଜ୍ୟପାଳ ଆରଏନ ରବି ପଶ୍ଚିମବଙ୍ଗ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ପୂରା ହେବା ପରେ ମେ ୭ରେ ବିଧାନସଭା ଭଙ୍ଗ କରିଛନ୍ତି। ବର୍ତ୍ତମାନର ବିଧାନସଭା ୨୦୨୧ ମେରେ ଗଠନ ହୋଇଥିଲା ଏବଂ ମମତା ତୃତୀୟ ଥର ରାଜ୍ୟରେ କ୍ଷମତାସୀନ ହୋଇଥିଲେ। ତେବେ ୨୦୨୬ ମେ ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପରେ ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ ଆନୁଷ୍ଠାନିକ ଭାବେ ସମାପ୍ତ ହେଉଛି।