ପାହାଡ଼ ଉପରେ ଫସିଗଲେ ଛାତ୍ର, ୨ ଘଣ୍ଟା ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି କମର୍ସର ଦ୍ବିତୀୟ ବର୍ଷର ଛାତ୍ର ଆଦିତ୍ୟ ବୁଲିବାକୁ ଯାଇ ରୁଖି ପାହାଡ ଜଙ୍ଗଲ ମଧ୍ୟରେ ଫସି ରହିଥିଲା । ସନ୍ଧ୍ୟା ହୋଇଯିବାରୁ ପାହାଡ଼ରୁ ଆଉ ଫେରି ପାରିନଥିଲେ। ଆଦିତ୍ୟ ତାଙ୍କ ଭାଇଙ୍କୁ ଏ ସମ୍ପର୍କରେ ଫୋନରେ ଜଣାଇଥିଲେ । ପରେ ଆଦିତ୍ୟଙ୍କ ବାପା ନୟାଗଡ଼ ଟାଉନ ଥାନାରେ ଜଣାଇବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ ।ଖବର ପାଇ ଅଗ୍ନିଶମ ବାହିନୀ, ବନବିଭାଗ ଏବଂ ପୋଲିସର ମିଳିତ ଅପରେସନରେ ୫ଘଣ୍ଟା ପରେ ଉଦ୍ଧାର ହୋଇଛନ୍ତି ଛାତ୍ର ।ରାତିରେ ଜଙ୍ଗଲ ଏବଂ ବିଭିନ୍ନ ହିଂସ୍ର ଜନ୍ତୁ ରହିଥିବା ପାହାଡ ଚଢି ଛାତ୍ରଙ୍କୁ ଉଦ୍ଧାର କରିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଅନେକ ଚାଲେଞ୍ଜ୍ ଆଣିଥିଲା । ପାହାଡ ଚଢିବା ସମୟରେ ବଡବଡ ସାପ ମଧ୍ଯ ଦେଖିଥିବା ଉଦ୍ଧାରକାରୀ ଦଳ କହିଛନ୍ତି । ପାହାଡ ଉପରେ ରହିଥିବା ଆଦିତ୍ଯଙ୍କ ମୋବାଇଲ୍ ଲାଇଟ୍ ଏବଂ ଲୋକେସନକୁ ଦେଖି ଉଦ୍ଧାରକାରୀ ଦଳ ପ୍ରାୟ ୧୧ଟା ସମୟରେ ତାଙ୍କ ପାଖରେ ପହଞ୍ଚିଥିଲେ ।

ଆଦିତ୍ଯଙ୍କୁ ଧରି ୧୨ଟା ସମୟରେ ସମସ୍ତେ ତଳେ ପହଞ୍ଚିଥିଲେ । ଅଗ୍ନିଶମ କର୍ମଚାରୀଙ୍କ ସାହାସ ଏବଂ ଉଦ୍ଯମ ପାଇଁ ଛାତ୍ର ଜଣକ ଉଦ୍ଧାର ହୋଇପାରିଥିବାରୁ ସମସ୍ତେ ସେମାନଙ୍କୁ ଧନ୍ଯବାଦ ଦେଇଛନ୍ତି ।