ପିତାଙ୍କ ଶ୍ରାଦ୍ଧ କର୍ମ ସାରି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଫେରୁଥିଲେ। ହେଲେ ବାଟରେ ସାଜିଲା କାଳ। ଦ୍ରୁତଗାମୀ ପିକଅପ୍ ଭ୍ୟାନ୍‌ର ପଛପଟୁ ଧକ୍କା ଫଳରେ ଚାଲିଗଲା ଅମୂଲ୍ୟ ଜୀବନ

ପୁରୀ: -ପୁରୀ ଜିଲ୍ଲା ଗୋପ କଲେଜ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୃତକ ହେଲେ ନୟାଗଡ଼ ଜିଲ୍ଲା ରଣପୁର ବିନୋଦପଡ଼ା ଗ୍ରାମର ୪୪ ବର୍ଷୀୟ ରୁଷିକେଶ ମହାପାତ୍ର।ଗତ ୧୪ ଦିନ ତଳେ ବାପା ଲକ୍ଷ୍ମଣ ମହାପାତ୍ର ଆଖି ବୁଜିଥିଲେ। ପିତାଙ୍କ ଆତ୍ମାର ସଦଗତି ଆଶାରେ ରୁଷିକେଶ ନିଜ ପରିବାର ସଦସ୍ୟଙ୍କ ସହ ସାନଭାଇଙ୍କ ଅଟୋରେ ପୁରୀ ଶ୍ରୀମନ୍ଦିର ଆସିଥିଲେ। କାଳିଆ ସାଆନ୍ତଙ୍କୁ ଦର୍ଶନ ସାରି କୋଣାର୍କ ଦେଇ ଗାଁକୁ ଫେରୁଥିବା ବେଳେ ଏକ ପିକଅପ୍ ଭ୍ୟାନ୍ ସେମାନଙ୍କ ଅଟୋକୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା।ଏଥିରେ ରୁଷିକେଶଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟ ୭ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ଦୁର୍ଘଟଣା ପରେ ପିକଅପ୍ ଭ୍ୟାନ୍‌ଟି ଫେରାର ହୋଇଯାଇଥିବା ବେଳେ ଗୋପ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ବାପାଙ୍କ ମୃତ୍ୟୁର ୧୪ ଦିନରେ ପୁଅର ଏଭଳି ବିୟୋଗ ପରିବାର ପାଇଁ ଚିନ୍ତାର ବିସୟ ହୋଇଥିବା ବେଳେ ଗାଁ ରଣପୁର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି। ପୁରୀରୁ ପ୍ରକାଶ କାଣ୍ଡି HR TV ଓଡ଼ିଆ