ପୁଣି ଯୁଦ୍ଧ ମୁହାଁ ମିଡଲ ଇଷ୍ଟ,ତେହେରାନ ଉପରେ ବଡ଼ ଆକ୍ରମଣ କରିବାର ଧମକ ଦେଇଛନ୍ତି ଟ୍ରମ୍ପ
ଇରାନ ସହିତ ଶାନ୍ତି ଚୁକ୍ତି ଭାଙ୍ଗି ଡୋନାଲ୍ଡ ଟ୍ରମ୍ପ ମଧ୍ୟପ୍ରାଚ୍ୟ ସହ ସାରା ବିଶ୍ୱକୁ ଚିନ୍ତାରେ ପକାଇଛନ୍ତି । ଆଉ ଚୁକ୍ତି ଭାଙ୍ଗିବାର କିଛି ଘଣ୍ଟା ପରେ ହିଁ ଇରାନକୁ ଚେତାବନୀ ଦେଇଛନ୍ତି । ଟ୍ରମ୍ପ ତେହେରାନ ଉପରେ ବଡ଼ ଆକ୍ରମଣ କରିବାର ଧମକ ଦେଇଛନ୍ତି । ସେ କହିଛନ୍ତି, ‘ଆମେ ଆଜି ରାତିରେ ସେମାନଙ୍କ ଉପରେ ବଡ଼ ଆକ୍ରମଣ କରିବୁ ।’ତୁର୍କୀର ରାଜଧାନୀ ଅଙ୍କାରାରେ ଚାଲିଥିବା ନାଟୋ (NATO) ସମ୍ମିଳନୀ ଅବସରରେ ଖବରଦାତାମାନଙ୍କ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ କହିଛନ୍ତି, “ଗତକାଲି ରାତିରେ ଆମେ ସେମାନଙ୍କ ଉପରେ ଶକ୍ତ ପ୍ରହାର କରିଥିଲୁ ଏବଂ ସମ୍ଭବତଃ ଆଜି ରାତିରେ ମଧ୍ୟ ଆମେ ପୁଣି ଏକ ଜୋରଦାର ଆକ୍ରମଣ କରିବୁ।”
ଇରାନର ଆଭିମୁଖ୍ୟକୁ ସମାଲୋଚନା କରି ଟ୍ରମ୍ପ କହିଛନ୍ତି ଯେ ସେମାନେ ଅତି ଖରାପ ବ୍ୟବହାର କରୁଛନ୍ତି। ଆମେରିକା ନିଜର ସ୍ୱାର୍ଥ ଏବଂ ଆନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟ ପଥର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜାରି ରଖିବ।ଟ୍ରମ୍ପ ଇରାନର ବାର୍ତ୍ତାକାର ପ୍ରତିନିଧିମଣ୍ଡଳ ଉପରେ ଅସନ୍ତୋଷ ଝାଡ଼ିଛନ୍ତି । ସେ କହିଛନ୍ତି, ରୁଦ୍ଧ ଦ୍ୱାର ବୈଠକରେ ଯେଉଁ ଆଲୋଚନା ହୋଇଥିଲା, ସେ ବିଷୟରେ ସେମାନେ ମିଛ କହିଛନ୍ତି । ଦୃଢ ଶବ୍ଦରେ ଚେତାଇଛନ୍ତି ଯେ ଇରାନକୁ ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିବାରୁ ରୋକିବା ପାଇଁ କୌଣସି ଚୁକ୍ତିର ଆବଶ୍ୟକତା ନାହିଁ ।