ପୁରୀରେ ହୋଟେଲରେ ଆମିଷ ସହ ମହାପ୍ରସାଦ ମିଶାଇ ବିକ୍ରି ଅଭିଯୋଗରେ ଉତ୍ତେଜନା

ଆମିଷ ସହ ବିକ୍ରି ହେଉଛି ମହାପ୍ରସାଦ ! ଶ୍ରୀକ୍ଷେତ୍ରରୁ ଆସିଛି ଏଭଳି ସମ୍ବେଦନଶୀଳ ଅଭିଯୋଗ । ପୁରୀ ଷ୍ଟେସନ ରୋଡ୍‌ର ପୋଲିସ୍ ଲାଇନ୍ ନିକଟରେ ଥିବା ଏକ ହୋଟେଲ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ।କେବଳ ଅନ୍ନ ନୁହେଁ ଡାଲି, ବେଶର, ମହୁରରେ ମିଶ୍ରଣ କରା ଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ପାର୍ସଲ ପାଇଁ ଆସିଥିବା ଯୁବକ ସନ୍ଦେହ ପରେ ଏମିତି ଖବର ଆସିଛି ସାମ୍ନାକୁ।   ଖବରପାଇ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ସୂଚନାନୁଯାୟୀ, ଦୁଇଜଣ ଯୁବକ ସମ୍ପୃକ୍ତ ହୋଟେଲକୁ ମିଲ ପାର୍ସଲ ନେବା ପାଇଁ ଆସିଥିଲେ। ମିଲ୍ ନେବା ସମୟରେ ତାଙ୍କୁ ସନ୍ଦେହ ହୋଇଥିଲା। ଆମିଷ ଖାଦ୍ୟରେ ମହାପ୍ରସାଦ ମିଶ୍ରଣ କରି ତାଙ୍କୁ ପାର୍ସଲ ଦିଆଯାଇଥିବା ଅଭିଯୋଗ କରିଛନ୍ତି ପାର୍ସଲ ନେଇଥିବା ଯୁବକ। ସେପଟେ ହୋଟେଲ ମାଲିକ ମନୋଜ କୁମାର ଦାସ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। କିନ୍ତୁ ହୋଟେଲ ଭିତରେ ମାତ୍ରାଧିକ ଅବଢ଼ା କୁଡୁଆ ମିଳିବା ପରେ ଏହା ସନ୍ଦେହକୁ ବଢ଼ାଇଛି ।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଆମିଷ ସହ ମହାପ୍ରସାଦ ବିକ୍ରି ହେଉଥିବା ଖବର ପ୍ରଚାର ପରେ ସେଠାରେ ଲୋକଙ୍କ ଭିଡ଼ ଜମିଛି । ଖବର ପାଇ ପୋଲିସ ପହଞ୍ଚିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରି ତଦନ୍ତ ଆରମ୍ଭ କରିଛି ।