ପୁରୀରେ ୧୩୦ ବର୍ଷରେ ଦ୍ୱିତୀୟ ସର୍ବାଧିକ ତାପମାତ୍ରା

ଗ୍ରୀଷ୍ମ ଯାଇ ବର୍ଷା ସରିଲାଣି।ଏତେ ଟାଇଁଟାଇଁ ଖରା ଯେ ଦେହ ମୁଣ୍ଡ ଝାଇଁ ଝାଇଁ କରି ଦେଉଛି। ଖାଲି ଦିନ ନୁହେଁ,ରାତି ବି ଥଣ୍ଡା ପଡୁନି । ନା’କୁ କେବଳ ଶରତ,ଗ୍ରୀଷ୍ମ ଜ୍ବାଳା ଯାଉନି।ପୁରୀରେ ଗରମର ନୂଆ ରେକର୍ଡ । ୧୩୦ ବର୍ଷର ପାଣିପାଗ ରେକର୍ଡରେ ଅକ୍ଟୋବର ମାସ ପାଇଁ ଦ୍ୱିତୀୟ ସର୍ବାଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି । ୧୮୯୬ ମସିହାରୁ ଉପଲବ୍ଧ ପାଣିପାଗ ତଥ୍ୟ ଅନୁସାରେ, ଗତକାଲି ଅର୍ଥାତ୍ ଅକ୍ଟୋବର ୫ରେ ପୁରୀ ସହରର ସର୍ବୋଚ୍ଚ ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା ।ଅକ୍ଟୋବର ମାସ ଆରମ୍ଭ ହୋଇସାରିଥିଲେ ମଧ୍ୟ ପୁରୀରେ ଏଭଳି ଉଚ୍ଚ ତାପମାତ୍ରା ଯୋଗୁଁ ଦିନବେଳା ପ୍ରବଳ ଗରମ ଅନୁଭୂତ ହେଉଛି । ୨୦୨୩ରେ ଏଲ୍-ନିନୋ ପ୍ରଭାବ ରହିଥିବାବେଳେ ୨୦୨୪ ପ୍ରଚଣ୍ଡ ଉଷ୍ଣ ରହିଥିଲା । ବର୍ତ୍ତମାନ ଏଲ-ନିନୋର ପ୍ରଭାବ ରହିଥିବାବେଳେ ଆଗକୁ ପରିବେଶ ଆହୁରି ତାତିବା ଆଶଙ୍କା ରହିଛି ।ଅନୁମାନ କରାଯାଉଛି,ଏବେ ବଡ଼ ବର୍ଷା ନାହିଁ। ତଥାପି ୨-୩ ଦିନ ପରେ ତାପମାତ୍ରା ସାମାନ୍ୟ କମିପାରେ। ଟ୍ରଫଲାଇନ ଯୋଗୁ ପୂର୍ବ ପଟୁ ପବନ ପ୍ରବାହ ହୋଇପାରେ। ଏହାଫଳରେ ଆକାଶ ଆଂଶିକ ମେଘୁଆ ହେବା ସହ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।