ପ୍ରସାର ଭାରତୀର ନୂଆ ଅଧ୍ୟକ୍ଷ ହେଲେ ପ୍ରସୂନ ଯୋଶୀ

ହିନ୍ଦୀ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଗୀତିକାର ତଥା କବି ପ୍ରସୂନ୍‌ ଯୋଶୀଙ୍କୁ ପ୍ରସାର ଭାରତୀର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ପ୍ରସୂନ୍‌ଙ୍କ ନାମ ଦେଶର ସାର୍ବଜନୀନ ପ୍ରସାରକର ମୁଖ୍ୟ ଭାବେ ଘୋଷଣା କରାଯାଇଛି।ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଆଶୁତୋଷ ଗୋୱାରିକରଙ୍କୁ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ)ର ନିର୍ଦ୍ଦେଶକ ଭାବରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଦିଆଯିବାର ଦିନକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଡିସେମ୍ବରରେ ପ୍ରଶାସକ ନବନୀତ କୁମାର ସେହଗଲଙ୍କ ଇସ୍ତଫା ପରେ ପ୍ରସାର ଭାରତୀ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା।ପ୍ରସୂନ ଯୋଶୀଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ପ୍ରସୂନ ଯୋଶୀ ଜଣେ ଦୁର୍ଲଭ ସୃଜନଶୀଳ ବ୍ୟକ୍ତିତ୍ୱ, ଯାହାଙ୍କୁ ବିଶ୍ୱସ୍ତରରେ ବିଜ୍ଞାପନ, ସାହିତ୍ୟ, କଳା ଏବଂ ସିନେମା ପାଇଁ ସମ୍ମାନ ମିଳିଛି। ତାଙ୍କ ହୃଦୟରେ ସବୁବେଳେ ଭାରତ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିଛି।