ବିଦେଶରେ ସାଉଦି ଆରବ ମାଟିରେ ପାଳନ ହେଲା ଓଡିଶା ଗର୍ବ ରଜ ପର୍ବ ଏବଂ ଇଦ ପର୍ବ ।

ଦେଶଠାରୁ ହଜାର ହଜାର କିଲୋମିଟର ଦୂରରେ ରହିଲେ ମଧ୍ୟ ଓଡିଶା ମାଟିର ମହକ,ଓଡିଆ ଭାଷା,ସାହିତ୍ୟ, ସଂସ୍କୃତି ଓ ପରମ୍ପରା ପ୍ରତି ଥିବା ଅଗାଧ ଭଲପାଇବାକୁ ଅକ୍ଷୁଣ୍ଣ ରଖିଛନ୍ତି ପ୍ରବାସୀ ଓଡ଼ିଆ।। ସାଉଦି ଆରବର ଦାମାମ ସହରରେ ସେହି ଭାବନାର ଏକ ସୁନ୍ଦର ପ୍ରତିଫଳନ ଦେଖିବାକୁ ମିଳିଛି।।ପ୍ରବାସୀ ଓଡ଼ିଆ ସଂଗଠନ କଳିଙ୍ଗନର ଆୟୋଜନରେ ଚଳିତ ବର୍ଷ ଓଡ଼ିଶାର ଗଣପର୍ବ ରଜ ଏବଂ ମୁସଲିମ ଭାଇଭଉଣୀଙ୍କ ପବିତ୍ର ପର୍ବ ଇଦ୍-ଉଲ୍-ଆଧାକୁ ଏକାଠି ଉତ୍ସାହ ଓ ଭାଇଚାରାର ସହ ପାଳନ କରାଯାଇଛି।। ରଙ୍ଗବେରଙ୍ଗର ପାରମ୍ପରିକ ପୋଷାକରେ ସଜିତଥିବା ମହିଳାମାନେ ରଜ ପର୍ବର ବିଭିନ୍ନ ଆୟୋଜନରେ ସାମିଲ ହୋଇଥିଲେ।

ରଜ ଦୋଳି, ରଜ ପାନ, ପାରମ୍ପରିକ ଖେଳ ଏବଂ ଓଡ଼ିଆ ସଂସ୍କୃତିର ବିଭିନ୍ନ ଉପାଦାନ ପ୍ରବାସରେ ଏକ ମିନି ଓଡ଼ିଶାର ପରିବେଶ ସୃଷ୍ଟି ହୋଇଥିଲା ।।କେବଳ ରଜ ନୁହେଁ, ଇଦ୍-ଉଲ୍-ଆଧାର ପବିତ୍ର ଅବସରକୁ ମଧ୍ୟ ସମାନ ଗୁରୁତ୍ୱ ଓ ମର୍ଯ୍ୟାଦାର ସହ ପାଳନ କରାଯାଇଥିଲା। ଇଦ୍‌ର ଶାନ୍ତି, ମୈତ୍ରୀ ଓ ତ୍ୟାଗର ବାର୍ତ୍ତା ସହ ରଜର ଉଲ୍ଲାସ ମିଶି ଏକ ସୁନ୍ଦର ସାଂସ୍କୃତିକ ସମନ୍ୱୟର ଚିତ୍ର ସୃଷ୍ଟି ହୋଇଥିଲା ।।ରଜ ଅବସରରେ ଓଡ଼ିଶାର ପାରମ୍ପରିକ ପୋଡ଼ ପିଠା, ଆରିସା, ଚକୁଳି, ଖଜା ଓ ଅନ୍ୟାନ୍ୟ ସୁସ୍ୱାଦୁ ବ୍ୟଞ୍ଜନ ସହ ଇଦ୍‌ର ବିଶେଷ ଖାଦ୍ୟ ପରିବେଷଣ କରାଯାଇଥିଲା।। ପ୍ରବାସୀ ଓଡ଼ିଆମାନେ ପରିବାର ଓ ବନ୍ଧୁ ମାନେ ଉତ୍ସାହର ସହ ଏହି ଆୟୋଜନରେ ଆନନ୍ଦ ଓ ଉଲ୍ଲାସପୂର୍ଣ୍ଣ ଭାବରେ ଅଂଶଗ୍ରହଣ କରିଥିଲେ ।।ଶିଶୁ, ଯୁବପିଢ଼ି ଏବଂ ବରିଷ୍ଠ ସଦସ୍ୟଙ୍କ ସକ୍ରିୟ ଅଂଶଗ୍ରହଣ ଉତ୍ସବକୁ ଆହୁରି ଆକର୍ଷଣୀୟ ଓ ସ୍ମରଣୀୟ କରିଥିଲା।।

ଦାମାମ, ଅଲ୍-ଖୋବର ଓ ଜୁବେଲ୍ ସମେତ ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରବାସୀ ଓଡ଼ିଆମାନେ ନିଜ ପରିବାର ସହ ଏହି ମହାମିଳନରେ ସାମିଲ ହୋଇଥିଲେ ।।ପ୍ରବାସରେ ରହି ମଧ୍ୟ ନିଜ ଭାଷା, ସଂସ୍କୃତି ଓ ପରମ୍ପରାକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବା ସହ ସାମାଜିକ ସଦଭାବନାକୁ ସୁଦୃଢ଼ କରିବା ହେଉଛି ଏଭଳି ଆୟୋଜନର ମୂଳ ଉଦ୍ଦେଶ୍ୟ ବୋଲି କଳିଙ୍ଗନ ପକ୍ଷରୁ କୁହାଯାଇଛି ।।ଦାମାମରେ ରଜ ଓ ଇଦ୍‌ର ଏହି ମହାମିଳନ କେବଳ ଏକ ଉତ୍ସବ ପାଳନରେ ସୀମିତ ନଥିଲା, ବରଂ ଏହା ଥିଲା ସଂସ୍କୃତି, ସମନ୍ୱୟ, ଓଡିଆ ଅସ୍ମିତା ଏବଂ ଭାଇଚାରାର ଏକ ସୁନ୍ଦର ବାର୍ତ୍ତା, ଯାହା ପ୍ରମାଣ କରିଛି ଯେ ପ୍ରବାସରେ ଥାଇ ମଧ୍ୟ ଓଡ଼ିଆମାନେ ନିଜ ମାଟିର ବନ୍ଦନ ଓ ପୂଜନ ସମର୍ପଣ ସହ ବନ୍ଦେ ଉତ୍କଳ ଜନନୀଙ୍କ ସମ୍ମାନ ସ୍ବାଭିମାନ ସହିତ ଗୌରବାନ୍ବିତ କରୁଛନ୍ତି ।।ବ୍ୟୁରୋ ରିପୋର୍ଟ Hr TV ଓଡିଆ ।।