ବୈଜ୍ଞାନିକ ଫ୍ରାନ୍ସିସ୍ ହାଲ୍‌ଜେନଙ୍କୁ ୨୦୨୬ ପଦାର୍ଥ ବିଜ୍ଞାନ ନୋବେଲ, ନ୍ୟୁଟ୍ରିନୋ ଗବେଷଣା ପାଇଁ ସମ୍ମାନ

୨୦୨୬ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି । ବେଲଜିୟମରେ ଜନ୍ମିତ ଆମେରିକୀୟ ବୈଜ୍ଞାନିକ ଫ୍ରାନ୍ସିସ୍ ହାଲଜେନଙ୍କୁ ସମ୍ମାନ ମିଳିଛି । ସେ ଆମେରିକାର ୱିସକନସିନ୍–ମାଡିସନ୍ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ।ଆଇସ୍‌କ୍ୟୁବ୍ ନ୍ୟୁଟ୍ରିନୋ ଅବଜର୍ଭେଟୋରି ପ୍ରତି ତାଙ୍କର ନିର୍ଣ୍ଣାୟକ ଅବଦାନ ଏବଂ ଖଗୋଳୀୟ ଉତ୍ସରୁ ଆସୁଥିବା ଉଚ୍ଚ-ଶକ୍ତିସମ୍ପନ୍ନ ନ୍ୟୁଟ୍ରିନୋର ଆବିଷ୍କାର ପାଇଁ ରୟାଲ୍ ସ୍ୱିଡିଶ୍ ଏକାଡେମି ଅଫ୍ ସାଇନ୍ସେସ୍ ତାଙ୍କୁ ଏହି ସମ୍ମାନ ଦେଇଛି।ହାଲଜେନଙ୍କ ଗବେଷଣା ବ୍ରହ୍ମାଣ୍ଡରେ ଘଟୁଥିବା ଅତ୍ୟନ୍ତ ଶକ୍ତିଶାଳୀ ଘଟଣାଗୁଡ଼ିକର ରହସ୍ୟ ଜାଣିବା ପାଇଁ ବୈଜ୍ଞାନିକମାନଙ୍କୁ ଏକ ନୂଆ ରାସ୍ତା ଦେଖାଇଛି । ହାଲଜେନ ଦକ୍ଷିଣ ମେରୁର ଗଭୀର ବରଫକୁ ଏକ ବିଶାଳ କଣିକା ଚିହ୍ନଟ କେନ୍ଦ୍ର ଭାବେ ବ୍ୟବହାର କରିବାର ଧାରଣା ଦେଇଥିଲେ । ଏହି ଧାରଣାକୁ ଆଧାର କରି ପରେ ଆଇସ୍ କ୍ୟୁବ୍ ନ୍ୟୁଟ୍ରିନୋ ପର୍ଯ୍ୟବେକ୍ଷଣ କେନ୍ଦ୍ର ତିଆରି ହୋଇଥିଲା ।ଦକ୍ଷିଣ ମେରୁର ବରଫ ତଳେ ପ୍ରାୟ ଏକ ଘନ କିଲୋମିଟର ଅଞ୍ଚଳରେ ଅନେକ ଆଲୋକ ସମ୍ବେଦନଶୀଳ ଯନ୍ତ୍ର ଲଗାଯାଇଛି । ଏହି ଯନ୍ତ୍ରଗୁଡ଼ିକ ମହାକାଶରୁ ଆସୁଥିବା ନ୍ୟୁଟ୍ରିନୋକୁ ଚିହ୍ନଟ କରିବାରେ ସାହାଯ୍ୟ କରେ ।ନ୍ୟୁଟ୍ରିନୋକୁ ବ୍ରହ୍ମାଣ୍ଡର ସବୁଠୁ ରହସ୍ୟମୟ କଣିକାମାନଙ୍କ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ। ଏହା ପଦାର୍ଥ ସହ ଅତ୍ୟନ୍ତ କମ୍ ପ୍ରତିକ୍ରିୟା କରୁଥିବାରୁ ବିଶାଳ ଦୂରତା ଅତିକ୍ରମ କରିବା ସତ୍ତ୍ୱେ ଏହାର ଦିଗ ଓ ଶକ୍ତି ସମ୍ପର୍କିତ ମୂଳ ସୂଚନା ବହୁ ଅଂଶରେ ଅକ୍ଷୁଣ୍ଣ ରହେ। ଏହି କାରଣରୁ ସୁପରନୋଭା, ସକ୍ରିୟ ଗ୍ୟାଲାକ୍ସିର କେନ୍ଦ୍ରରେ ଥିବା ବିଶାଳ ବ୍ଲାକ୍‌ହୋଲ୍ ଏବଂ ଅନ୍ୟ ଉଚ୍ଚ-ଶକ୍ତି ଖଗୋଳୀୟ ଘଟଣାକୁ ବୁଝିବାରେ ନ୍ୟୁଟ୍ରିନୋ ଗୁରୁତ୍ୱପୂର୍ଣ୍ଣ ‘ମହାକାଶୀୟ ବାର୍ତ୍ତାବାହକ’ ଭାବେ କାମ କରୁଛି।