ଭୋଟ୍ ବଞ୍ଚାଅ ଦେଶ ବଞ୍ଚାଅ , ଅକ୍ଟୋବର 10ରୁ କଂଗ୍ରେସର ଦେଶବ୍ୟାପୀ ଅଭିଯାନ
ଭୋଟ ଚୋରି ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିବ କଂଗ୍ରେସ । ଆସନ୍ତା ଅକ୍ଟୋବର 10ରୁ ବିଭିନ୍ନ ପର୍ଯ୍ୟାୟରେ ଦେଶବ୍ୟାପୀ ଅଭିଯାନ ଆରମ୍ଭ ହେବ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ସାଧାରଣ ସମ୍ପାଦକ, ପ୍ରଭାରୀ, ପିସିସି ସଭାପତି ଏବଂ ସମ୍ମୁଖ ସଂଗଠନର ମୁଖ୍ୟ ମାନଙ୍କୁ ନେଇ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।ଭୋଟ୍ ବଞ୍ଚାଅ ଦେଶ ବଞ୍ଚାଅ’ ସ୍ଲୋଗାନ ଆଧାରରେ ଏହି ଅଭିଯାନ ଅନୁଷ୍ଠିତ ହେବ। ଅକ୍ଟୋବର ୧୦ରୁ ନଭେମ୍ବର ୨୬ ପର୍ଯ୍ୟନ୍ତ ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଏବଂ ପିସିସି ପକ୍ଷରୁ ‘ଭୋଟ୍ ବଞ୍ଚାଅ ଦେଶ ବଞ୍ଚାଅ’ ଅଭିଯାନର ଅଂଶସ୍ୱରୂପ ବ୍ଲକ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ସାମ୍ବାଦିକ ସମ୍ମିଳନୀ ଏବଂ ପ୍ରତିବାଦ ଶୋଭାଯାତ୍ରା କରାଯିବ। ଅକ୍ଟୋବର ୧୦ ରୁ ୨୦ ପର୍ଯ୍ୟନ୍ତ ବ୍ଲକ ସ୍ତରୀୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଏସଡିଏମ କାର୍ଯ୍ୟାଳୟରେ ଶେଷ ହେବ । ଅକ୍ଟୋବର ୨୫ରୁ ନଭେମ୍ବର ୨୫ ପର୍ଯ୍ୟନ୍ତ ପ୍ରତ୍ୟେକ ଗ୍ରାମରେ ଗ୍ରାମସଭା ଆୟୋଜନ କରାଯିବ । ଏଠାରେ ଦଳୀୟ କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭୋଟ ଚୋରିର କାର୍ଯ୍ୟପନ୍ଥା ବିଷୟରେ ବୁଝାଇବେ । କାର୍ଯ୍ୟକ୍ରମରେ ଗ୍ରାମୀଣ ନେତା ଓ ମୁଖିଆମାନଙ୍କୁ ଆମନ୍ତ୍ରଣ କରାଯିବ।ଆସନ୍ତା ନଭେମ୍ବର ୧ ରେ ରାମଲୀଳା ମୈଦାନରେ ଇଣ୍ଡିଆ ମେଣ୍ଟର ମେଗା ରାଲି ଅନୁଷ୍ଠିତ ହେବ । ସେହିପରି ନଭେମ୍ବର ୨୫ ଓ ୨୬ ରେ ଦଳର ‘ଦିଲ୍ଲୀ ଚଲୋ’ ମୋଟର ସାଇକେଲ ରାଲି ଅନୁଷ୍ଠିତ ହେବ। ସମ୍ବିଧାନ ଦିବସ ଅବସରରେ ନଭେମ୍ବର ୨୬ ତାରିଖରେ ଦିଲ୍ଲୀରେ ଏହା ସମାପ୍ତ ହେବ। ସିଇସିଙ୍କୁ ହଟାଯିବା, ଗିରଫ ଏବଂ ମାମଲା ଚାଲିବା ପର୍ଯ୍ୟନ୍ତ କଂଗ୍ରେସ ରାଜପଥରେ ଲଢ଼େଇ ଜାରି ରଖିବ।