ଯୁବକଙ୍କୁ ପିଟିପିଟି ହତ୍ୟା ମାମଲା । ଗ୍ରାମବାସୀଙ୍କୁ ପୋଲିସର ଅଟକ ପରେ ଥାନାରେ ଉତ୍ତେଜନା

ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ବୀଭତ୍ସ ହତ୍ୟା ଘଟଣା । ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ୍। ସିସିଟିଭି ଫୁଟେଜ୍ ଆଧାରରେ ଅନ୍ୟ ଆକ୍ରମଣକାରୀଙ୍କୁ ଚାଲିଛି ଖୋଜା।ପୋଲିସ ଅଟକ ରଖିବା ପରେ ଥାନାରେ ଉତ୍ତେଜନା ପ୍ରକାଶ ପାଇଛି ।  ଉତ୍ତେଜନା ଲାଗି ରହିବା ପରେ ପୋଲିସ କମିସନର ଏସ ଦେବଦତ୍ତ ସିଂ ଓ ଅତିରିକ୍ତ ଡିସିପି ନରସିଂହ ଭୋଳ ଥାନାରେ ପହଞ୍ଚିଛନ୍ତି ।  ଡିସିପି ଜଗମୋହନ ମୀନା ମଧ୍ୟ ସେଠାରେ ଅଛନ୍ତି ।  ଗାଁରୁ ୪ ଅଭିଯୁକ୍ତଙ୍କୁ ବାଲିଅନ୍ତା ପୋଲିସ ଉଠାଇ ଆଣିଲା ପରେ ଥାନା ବାହାରେ ମୃତକଙ୍କ ପରିବାର ଓ ଗାଁ ଲୋକଙ୍କ ମଧ୍ୟରେ ହୋହଲ୍ଲା ହୋଇଥିଲା । ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ରାସ୍ତାରେ ଜିଆରପି କନେଷ୍ଟବଳଙ୍କୁ ପିଟିପିଟି ମାରିଦେଇଥିଲେ ଲୋକେ ।ପୁଲିସ କମିଶନରଙ୍କ ସୂଚନା ଅନୁଯାୟୀ ବାଲିଅନ୍ତା ଥାନାରେ ଦୁଇଟି ପୃଥକ ପୃଥକ ଏତଲା କରାଯାଇଛି। ଗୋଟେ ଏତଲା ମୃତ ଯୁବକଙ୍କ ବାପା ଦେଇଥିବା ବେଳେ ଅନ୍ୟ ଏକ ଏତଲା ଅସଦାଚରଣ ଶିକାର ହୋଇଥିବା ଯୁବତୀଙ୍କ ପକ୍ଷରୁ କରାଯାଇଛି ।ମୃତ ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଯେଉଁ ମାନେ ଯୁବକଙ୍କୁ ମାଡ଼ ମାରିଛନ୍ତି ଭିଡିଓ ଗୁଡ଼ିକ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି କହିଛନ୍ତି। ଗୁରୁବାର ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଦୁଇ ଯୁବତୀ ଏକ ସ୍କୁଟିରେ ବେଣୁପୁରରୁ ଭିଙ୍ଗର ଯାଉଥିଲେ । ଏହି ସମୟରେ ଏକ ଦ୍ରୁତଗାମୀ ବାଇକ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା ଉଭୟ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଯୁବତୀ ଜଣଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ମାନବିକତା ଭୁଲି ଦୁର୍ଘଟଣା ଘଟାଇଥିବା ଯୁବକ ଜଣଙ୍କ ତାଙ୍କୁ ଜବରଦସ୍ତ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ସେଠାରେ ଉପସ୍ଥିତ ଥିବା ଯୁବକମାନେ ଦୁଇ ଯୁବକଙ୍କୁ ପ୍ରଥମେ କାବୁ କରିବା ସହ ଅତର୍କିତ ଭାବେ ଆକ୍ରମଣ କରିଥିଲେ।ଏବେ ଭିଡିଓ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।