ରସିକିଆ ଡାକ୍ତର ଗିରଫ:ଭିଡିଓ ପ୍ରଘଟ ଧମକ; ସୁନା ଅଳଙ୍କାର ଓ ଟଙ୍କା ଠକେଇ

ଲଭ୍, ସେକ୍ସ ଓ ଧୋକା ଅଭିଯୋଗରେ ବନ୍ଧା ହେଲା ଡାକ୍ତର। ଅଭିଯୁକ୍ତ ଡାକ୍ତର ଅବିନାଶ ମହାନ୍ତି ଉମରକୋଟରୁ ଗିରଫ କଲା ପୁଲିସ। ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଜଣେ ମହିଳା ଡାକ୍ତର ଅବିନାଶ ମହାନ୍ତିଙ୍କ ବିରୋଧରେ ପ୍ରତାରଣା, ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଏବଂ ବିପୁଳ ପରିମାଣର ସୁନା ଗହଣା ହାତେଇ ନେଇଥିବା ନେଇ ଅଭିଯୋଗ କରିଥିଲେ। ପରେ ଅନ୍ୟ ଯୁବତୀଙ୍କ ସହ ବିବାହ ସ୍ଥିର କରି ମହିଳାଙ୍କ ଠାରୁ ଦୂରେଇ ଯାଇଥିଲେ । ଏନେଇ ଏୟାରଫିଲ୍ଡ ଥାନାରେ ମହିଳାଙ୍କ ଅଭିଯୋଗ ପରେ ସୋମବାର ଅବିନାଶ ମହାନ୍ତିଙ୍କୁ ଗିରଫ କରିଛି ପୋଲିସ । ଅବିନାଶ ମହାନ୍ତି ବର୍ତ୍ତମାନ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଅଞ୍ଚଳର ଏକ ସରକାରୀ ମେଡିକାଲରେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଥିବା ସୂଚନା ମିଳିଛି।ଅଭିଯୋଗ ଅନୁସାରେ ପୀଡ଼ିତା କିଛି ଦିନ ତଳେ ଅବିନାଶ ମହାନ୍ତି ନାମକ ଯୁବକଙ୍କ ସହ ସାମାଜିକ ଗଣମାଧ୍ୟମରେ ପରିଚିତ ହୋଇଥିଲେ। ପରେ ଉକ୍ତ ଯୁବକ ପୀଡ଼ିତାଙ୍କୁ ଦେଖା କରିବାକୁ ଡାକିଥିଲେ । ପରେ ତାଙ୍କୁ ଫୋନ୍ କରି ହ୍ବାଟ୍ସସାପ ଲୋକେସନ୍ ସେୟାର କରିବାକୁ କହିଥିଲେ। ଉଭୟଙ୍କ ଦେଖା ସାକ୍ଷାତ ସମୟରେ ସେଠାରେ ଅବିନାଶ ତାଙ୍କୁ କିଛି ପାନୀୟରେ ନିଶା ଦେଇ ଅସଦାଚରଣ କରିବା ସହ ଅଶ୍ଳୀଳ ଭିଡିଓ ରେକର୍ଡ କରିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ଭିଡିଓ ପ୍ରଘଟ କରିଦେବାକୁ ଧମକ ଦେଇ ଯୁବକ ଜଣକ ତାଙ୍କଠାରୁ ବାରମ୍ବାର ଟଙ୍କା ଓ ସୁନ ଅଳଙ୍କାର ନେଇଥିବା ପୀଡ଼ିତା ଅଭିଯୋଗରେ ଦର୍ଶାଇଛନ୍ତି।