ରାଜ୍ୟରେ ସକ୍ରିୟ ମୌସୁମୀ ବାୟୁ, ଆଉ ଦୁଇ ଜିଲ୍ଲା ଛୁଇଁଲା ମୌସୁମୀ
ମୌସୁମୀ ପ୍ରଭାବରେ ସୋମବାର ରାଜ୍ୟର ପ୍ରାୟ ସବୁଠି ପାଗ ମେଘୁଆ ପାଲଟିଥିଲା ।ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ବଲାଙ୍ଗୀର ଓ ସୁନ୍ଦରଗଡ଼ ସମେତ ଅନେକ ଅଞ୍ଚଳକୁ ଛୁଇଁସାରିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଜୁନ୍ ମାସର ପ୍ରଥମାର୍ଦ୍ଧରେ ଓଡ଼ିଶାରେ ବର୍ଷାର ପରିମାଣ ସ୍ଵାଭାବିକଠାରୁ ପ୍ରାୟ ୪୮% କମ୍ ରହିଥିଲା। ମାତ୍ର ଗତ କିଛି ଦିନ ହେବ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହେଉଥିବା ଲଗାତାର ବର୍ଷା ଯୋଗୁଁ ନିଅଣ୍ଟିଆ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି।୨୪, ୨୫ ଓ ୨୬ରେ ଉପକୂଳ ଓଡ଼ିଶା ସମେତେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୬୦ କିମି ବେଗରେ ଝଟକା ପବନ ବହିପାରେ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ କରାଯାଇଛି ।