ରୁଷିଆରେ ବ୍ୟାପୁଛି ପ୍ଲେଗ୍ ରୋଗ, ଗବେଷଣା କେନ୍ଦ୍ରର କର୍ମଚାରୀଙ୍କ ମୃତ୍ୟୁ

ରୁଷିଆର ସାଇବେରିଆ ଅଞ୍ଚଳରେ ଏକ ଗବେଷଣାଗାରରୁ ଆସିଛି ଚିନ୍ତାଜନକ ଖବର। ଆଣ୍ଟି-ପ୍ଲେଗ୍ ଗବେଷଣା କେନ୍ଦ୍ରରେ କାମ କରୁଥିବା ଜଣେ ଗବେଷକଙ୍କ ନିମୋନିଆରେ ଆକ୍ରାନ୍ତ ପରେ ମୃତ୍ୟୁ ହୋଇଛି।ମୃତ ମହିଳା ପ୍ଲେଗ୍ ଜୀବାଣୁରେ ସଂକ୍ରମିତ ହୋଇଥାଇପାରନ୍ତି ବୋଲି କେତେକ ରିପୋର୍ଟରେ ଆଶଙ୍କା କରାଯାଇଛି । ମୃତ କର୍ମଚାରୀଙ୍କ ବୟସ ପ୍ରାୟ ୨୮ ବର୍ଷ । ଗୁରୁତର ନିମୋନିଆ ହେବା ପରେ ସେପ୍ଟେମ୍ବର ୨୯ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କୃତ୍ରିମ ଶ୍ୱାସକ୍ରିୟା ସହାୟତାରେ ରଖାଯାଇଥିଲା । ତେବେ ଅକ୍ଟୋବର ୨ରେ ତାଙ୍କର ମୃତ୍ୟୁ ଘଟିଥିଲା ।ରିପୋର୍ଟ ଅନୁସାରେ, ପରୀକ୍ଷାଗାରରେ କାମ କରୁଥିବା ସମୟରେ ପ୍ଲେଗ୍ ସୃଷ୍ଟିକାରୀ ୟର୍ସିନିଆ ପେଷ୍ଟିସ୍ ଜୀବାଣୁ ସହ ସେ ସଂସ୍ପର୍ଶରେ ଆସିଥାଇପାରନ୍ତି । ଏହା ପରେ ସେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ତେବେ ପରୀକ୍ଷାଗାରରେ କୌଣସି ଦୁର୍ଘଟଣା ଯୋଗୁଁ ସେ ସଂକ୍ରମିତ ହୋଇଥିଲେ କି ନାହିଁ, ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ଆରମ୍ଭ କରିଥିଲା। ରିପୋର୍ଟ ଅନୁସାରେ ମୋଟ ୧୯୭ ଜଣଙ୍କୁ ଏଥିରେ ଚିହ୍ନଟ କରାଯାଇଥିବାବେଳେ, ସେମାନଙ୍କ ମଧ୍ୟରୁ ବହୁ ଲୋକଙ୍କୁ ହସ୍ପିଟାଲରେ କ୍ୱାରେଣ୍ଟାଇନରେ ରଖାଯାଇଛି ।