ଶିକ୍ଷକଙ୍କ ମୃତ୍ୟୁରେ ଗଣିଆ ମିଳିତ ଶିକ୍ଷକ ସଂଘ ତରଫରୁ ଶୋକସଭା

ଗଣିଆ,(ବିଶ୍ୱରଂଜନ ସେଠି .) ଗଣିଆ ବ୍ଲକ ମିଳିତ ଶିକ୍ଷକ ସଂଘ ତରଫରୁ ବ୍ଲକର ଜଣେ ଶିକ୍ଷକଙ୍କ ମୃତ୍ୟୁରେ ଶୋକସଭା ପାଳିତ ହୋଇଯାଇଛି । ଗଣିଆସ୍ଥିତ ଶିକ୍ଷକ ଭବନ ପରିସରରେ ଶିକ୍ଷକ ସଂଘର ସଭାପତି ପ୍ରତାପ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଶୋକସଭା ପାଳନ କରାଯାଇଥିଲା । ସର୍ବପ୍ରଥମେ ସ୍ୱର୍ଗତ ଶିକ୍ଷକ ସନ୍ତୋଷ କୁମାର ବେହେରାଙ୍କ ଉଦ୍ଦେଶ୍ୟରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଗଣିଆ ବ୍ଳକସ୍ଥିତ ଛାମୁଣ୍ଡିଆ ପଂଚାୟତର ଛାମୁଣ୍ଡିଆ ଗ୍ରାମର ବିଜୟ ବେହେରାଙ୍କ ଏକମାତ୍ର ପୁତ୍ର ସନ୍ତୋଷ କୁମାର ବେହେରା ବଡ଼ସିଲିଙ୍ଗା ପଂଚାୟତର ଗୋଛାବାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଭାବେ କାର୍ଯ୍ୟରତ ଥିଲେ । ରବିବାରଦିନ ଅପରାହ୍ନରେ ତାଙ୍କର ଦେହ ବହୁତ ଖରାପ ଥିବାରୁ ତାଙ୍କୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ଶିକ୍ଷକ ମହଲରେ ତାଙ୍କ ମୃତ୍ୟୁକୁ ନେଇ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଶିକ୍ଷକ ସଂଘର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ । ସେ ୨୦୧୪ ମସିହାରେ ଚାକିରୀ ଜୀବନ ଆରମ୍ଭ କରିଥିବା ବେଳେ ତାଙ୍କୁ ୩୩ ବର୍ଷ ବୟସରେ ଏଭଳି ଏକ ମୃୁତ୍ୟୁକୁ ପରିବାର ମଧ୍ୟରେ ଆଚମ୍ବିତ କରିଛି । ତାଙ୍କ ଚାକିରୀ ଆହୁରୀ ୨୬ବର୍ଷ ଥିବାବେଳେ ସେ ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ । ଯାହାକୁ ନେଇ ରୋଜଗାରିଆ ପୁଅକୁ ହରାଇ ବାପା ମା ସ୍ତ୍ରୀ ଓ ୪ମାସର କନ୍ୟା ସନ୍ତାନକୁ ଛାଡ଼ି ଏଭଳି ଏକ ଅକାଳ ବିୟୋଗରେ ପରିବାର ହତୋତ୍ସାହିତ ହୋଇଯାଇଛନ୍ତି । ଏଥିପାଇଁ ଗଣିଆ ଶିକ୍ଷକ ଭବନ ପରିସରରେ ଗଣିଆ ବ୍ଳକର ଶିକ୍ଷକମାନଙ୍କୁ ନେଇ ଏକ ଶୋକସଭା କରାଯାଇଥିଲା । ମୃତ ଶିକ୍ଷକ କିଭଳି ସରକାରଙ୍କର ସମସ୍ତ ଅନୁଦାନ ତାଙ୍କ ପରିବାର ପାଇବେ ସେ ସଂମ୍ପର୍କରେ ଶିକ୍ଷକମାନେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରି ଆର୍ଥିକ ଓ ତାଙ୍କ ପତ୍ନୀଙ୍କୁ ସରକାରୀ ଚାକିରୀ ପାଇବାରେ ଆଲୋଚନା ହୋଇଥିଲା । ସ୍ୱର୍ଗତ ଶିକ୍ଷକଙ୍କର ସ୍ଥାନୀୟ ଅଚଂଳରେ ଓ ବନ୍ଧୁମହଲରେ ଅମାୟିକ ବ୍ୟବହାର ଓ ପରୋପକାରୀ ମନୋବୃତିକୁ ନେଇ ସଭାରେ ସ୍ମୃତିଚାରଣ କରାଯାଇଥିଲା । ସମ୍ପାଦକ ଶୋଭନ କୁମାର ପଣ୍ଡା, କୋଷାଧ୍ୟକ୍ଷ ପ୍ରସାନ୍ତ ପାଣିଗ୍ରାହୀ, ବିଜୟ ମହାରଣା, ପ୍ରଫୁଲ କୁମାର ମିଶ୍ର, ସୁରେଶ ଚନ୍ଦ୍ର ବେହେରା, ସୁନିଲ କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ ଉଦ୍ୟନାଥ ସାହୁ, ଶରତ କୁମାର ଜେନା, ଶୁକଦେବ ରାଉତ, ବିରେନ୍ଦ୍ର ସାହୁ, ବଂଶୀଧର ସାହୁ ଓ ଅନ୍ୟାନ୍ୟ ଶିକ୍ଷକ ବନ୍ଧୁମାନେ ଯୋଗଦେଇଥିଲେ । ମିଳିତ ଶିକ୍ଷକ ସଂଘ ତରଫରୁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଆଶ୍ୱାସନା ଦିଆଯାଇଥିଲା ।