ସମଗ୍ର ରାଜ୍ୟରେ ଝଡ଼ବର୍ଷା ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ

ଓଡ଼ିଶାରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ମଙ୍ଗଳବାର ଆଉ କିଛି ଅଞ୍ଚଳକୁ ପ୍ରବେଶ କରିଛି। ମୌସୁମୀ ବାୟୁର ଉତ୍ତର ସୀମା ଏବେ ବୌଦ୍ଧ, ସମ୍ବଲପୁର ଏବଂ ସୁନ୍ଦରଗଡ଼ର ଅଳ୍ପ ଅଂଶ, କୋରାପୁଟର କିଛି ଅଂଶ, ରାୟଗଡ଼ା, କନ୍ଧମାଳ, ଅନୁଗୋଳ ଏବଂ ଦେବଗଡ଼ର ଅଧିକାଂଶ ଅଞ୍ଚଳକୁ ଛୁଇଁବା ପରେ ଆଗକୁ ବଢ଼ୁଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟରେ ଜୁନ୍ ପହିଲାରୁ ଏବେ ଯାଏ ୪୪% ବର୍ଷା ନିଅଣ୍ଟିଆ ରହିଛି । କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବର୍ତ୍ତମାନ ଯେଉଁ ସ୍ଥିତି ରହିଛି, ସେଥିରେ ବିଶେଷ ପରିବର୍ତ୍ତନ ଦେଖାଯାଉନି । ଆସନ୍ତା ୧୯/୨୦ ତାରିଖବେଳକୁ କିଛି ବର୍ଷା ହୋଇପାରେ । ସମ୍ଭବତଃ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ପ୍ରଭାବରେ । ମାତ୍ର ତାହା ବି ଦୁର୍ବଳ ରହିପାରେ । ବର୍ଷା ହେଲେ ସ୍ୱଳ୍ପରୁ ମଧ୍ୟମ ଧରଣର ରହିବ । ଯଦି ୧୯/୨୦ ତାରିଖବେଳକୁ ବର୍ଷା ନ ହେବ, ତେବେ ସ୍ଥିତି ଆହୁରି ବିଗିଡ଼ିବ । କାରଣ ତା’ପରେ ୭/୮ ଦିନ ପର୍ଯ୍ୟନ୍ତ ବର୍ଷା ବଢ଼ିବା ସମ୍ଭାବନା କମ୍ । ଯଦି ହେବ, ୨୭- ୨୮ ତାରିଖବେଳକୁ ହୋଇପାରେ ।ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ସହ ଗରମ ଓ ଗୁଳୁଗୁଳି ଜାରି ରହିବ। ଏଥିପାଇଁ ବୁଧବାର ସମଗ୍ର ରାଜ୍ୟରେ ଝଡ଼ବର୍ଷା ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଅପରପକ୍ଷେ ହିଟ୍‌ ଓ୍ବେଭ୍‌ ପାଇଁ ଝାରସୁଗୁଡ଼ା ଓ ସମ୍ବଲପୁରକୁ ୟେଲୋ ଓ୍ବାର୍ନିଂ ରହିଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।