ସୁଭଦ୍ରା ଯୋଜନା ସମ୍ପର୍କରେ ସୁଭଦ୍ରାକୁ ଅଡୁଆ କରିଛି ମୋବାଇଲ୍ ନମ୍ବର ସଂଯୁକ୍ତ ଆଧାର ସର୍ତ୍ତ
ଭୁବନେଶ୍ୱର :: ଓଡିଶା ସରକାର ଙ୍କ ସୁଭଦ୍ରା ଯୋଜନା ସମ୍ପର୍କରେ ସୁଭଦ୍ରାକୁ ଅଡୁଆ କରିଛି ମୋବାଇଲ୍ ନମ୍ବର ସଂଯୁକ୍ତ ଆଧାର ସର୍ତ୍ତ, ବିଭିନ୍ନ ସ୍ଥାନରୁ ଆସୁଛି ଠେଲାପେଲା ଓ ଦଳାଚକଟା ଖବର‘ସୁଭଦ୍ରା’ ଯୋଜନା ଆବେଦନ ପାଇଁ ମହିଳାଙ୍କ ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା। ଜନସେବା କେନ୍ଦ୍ର, ବ୍ୟାଙ୍କ ଓ ଆଧାର ସଂଶୋଧନ କେନ୍ଦ୍ରରେ ଅସମ୍ଭାଳ ଭିଡ଼। ରାତିରୁ ଲୋକମାନେ ଆସି ଚପଲ, ପଥର ଥୋଇ ଧାଡ଼ି ବାନ୍ଧୁଛନ୍ତି। ବିଶେଷକରି ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ୍ରେ ମୋବାଇଲ ନମ୍ବର ସଂଯୋଗକୁ ନେଇ ମହିଳାମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ମହିଳା ଆଧାରକାର୍ଡ ସଂଶୋଧନ ସମୟରେ ଏକାଧିକ ସମସ୍ୟାର ସାମ୍ନା କରୁଛନ୍ତି। ଏପରିକି କିଛି ମହିଳାଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ତେଣୁ ଏହି ନିୟମକୁ ନେଇ ମହିଳାଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ମାସ ୧୭ ତାରିଖରେ ଯୋଜନାର ପ୍ରଥମ କିସ୍ତି ମିଳିବାକୁ ଥିବାରୁ ୧୪ ଦିନ ମଧ୍ୟରେ ଆଧାରରେ ମୋବାଇଲ ନମ୍ବର ସଂଯୋଗ ହୋଇ ପାରିବ କି ନାହିଁ ତାକୁ ନେଇ ସାଧାଣରେ ସନ୍ଦେହ ସୃଷ୍ଟି ହୋଇଛି ।।

ଆଧାରକାର୍ଡ, ବ୍ୟାଙ୍କ ଜମା ଖାତା ଓ ମୋବାଇଲ ନମ୍ବର ସୁଭଦ୍ରା ଯୋଜନା ପାଇଁ ଅନିବାର୍ଯ୍ୟ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ୟାଙ୍କ ଜମା ଖାତା ସହ ଆଧାର ଓ ମୋବାଇଲ ନମ୍ବର ସଂଯୋଗ ଏବଂ ଆଧାର ସହ ମୋବାଇଲ୍ ସଂଯୋଗ ନିଶ୍ଚିତ ଆବଶ୍ୟକ ବୋଲି କୁହାଯାଇଛି। ମାତ୍ର ଅନେକ ମହିଳାଙ୍କର ଆଧାର ସହ ମୋବାଇଲ ନମ୍ବର ସଂଯୋଗ ହୋଇନାହିଁ। କିଛି ଗରିବ ଲୋକମାନଙ୍କର ମୋବାଇଲ ନମ୍ବର ନାହିଁ, ଆଉ କିଛି ମହିଳା ଆଧାର ଓ ମୋବାଇଲ ସଂଯୋଗ ଅବହେଳା ଯୋଗୁଁ କରି ନାହାନ୍ତି । ଯାହାକୁ ନେଇ ସମସ୍ୟା ବୃଦ୍ଧି ପାଇଛି। ଏହି ପ୍ରକ୍ରିୟା ଯୋଗୁଁ ମାତ୍ରାଧିକ ସମସ୍ୟା ଉପୁଜୁଥିବାରୁ କେବଳ ବ୍ୟାଙ୍କ୍ ଆକାଉଣ୍ଟ୍ ଲିଙ୍କ ବ୍ୟତୀତ ଏହି ନିୟମରେ କୋହଳ କରାଯାଉ ବୋଲି ଅନେକ ମହିଳାଙ୍କ ଦାବି କରାଯାଉଛି।ବହୁ ମହିଳା ଅନେକ ବର୍ଷ ଧରି ଆଧାର ସଂଶୋଧନ କରିନାହାନ୍ତି। ଆଧାର କାର୍ଡ କରିଥିବାବେଳେ ମୋବାଇଲ ନମ୍ବର ଯୋଡ଼ିନଥିଲେ। ଯେଉଁ ମୋବାଇଲ ନମ୍ବର ଯୋଡ଼ିଥିଲେ, ତାହା ଏବେ ଅଧିକାଂଶ ଲୋକଙ୍କ ପାଖରେ ନାହିଁ। ସେହିଭଳି ବହୁ ହିତାଧିକାରୀଙ୍କ ଆଧାରକାର୍ଡରେ ସ୍ୱାମୀ ଓ ପିତାଙ୍କ ନାମ ବଦଳରେ ଭିନ୍ନ ନାମ ରହିଯାଇଛି। ଠିକଣାକୁ ନେଇ ମଧ୍ୟ କିଛି ସମସ୍ୟା ରହିଛି। ତେଣୁ ଆଧାର ସଂଶୋଧନ କେନ୍ଦ୍ରରେ ଏସବୁ ସଂଶୋଧନ କରିବା ପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏକ ସମୟରେ ଦୁଇଟି ସଂଶୋଧନ କରାଯାଇ ପାରିବନି। ପୁଣି ଏବେ ସଂଶୋଧନ କଲେ, ତାହା ଠିକ୍ ହେବାକୁ ୮ରୁ ୧୫ ଦିନ ସମୟ ଲାଗୁଛି। ଯାହା ମହିଳାମାନଙ୍କ ପାଇଁ ଅଡ଼ୁଆ ହୋଇଛି। ତେଣୁ ଏହି ଜଟିଳ ସମସ୍ୟାଗୁଡ଼ିକୁ ସହଜ ଓ ସରଳ କରିବାକୁ ସାଧାରଣରେ ଦାବି ହୋଇଛି ।।
ସେପଟେ ଆଧାରକାର୍ଡ ସଂଶୋଧନ କରିବାକୁ ଧାଁଦୌଡ଼, ଦଳଚକଟା ଖବର ଆସିବାରେ ଲାଗିଛି। ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ଆଧାରକାର୍ଡ ସଂଶୋଧନ କରିବା ପାଇଁ ଅନେକ ସ୍ଥାନରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ଯ। ରାତି ପାହିବା ଆଗରୁ ଜନସେବା କେନ୍ଦ୍ର ଓ ଡାକଘର ଆଗରେ ଲାଗିଛି ଲମ୍ବା ଲାଇନ । ଏମିତିକି ଠେଲାପେଲା ସହ ଦଳଚକଟା ସ୍ଥିତି ବି ଉପୁଜିଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ଆଧାର କାର୍ଡରେ ସଂଶୋଧନ ଆବଶ୍ଯକ ପଡ଼ୁଛି । କିଏ ଫୋନ ନମ୍ବର ଲିଙ୍କ କରିବାକୁ ତ ଆଉ କିଏ ନାଁ ସଂଶୋଧନ କରିବାକୁ ଲମ୍ବା ଲାଇନରେ ଠିଆ ହେଉଛି । ଏପରିକି ଆଧାର ସାଇଟ ମଧ୍ଯ କାମ କରୁନି । ଆବଶ୍ଯକ ଭିତ୍ତିଭୂମି ନଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଆଧାର ସଂଶୋଧନ କେନ୍ଦ୍ରକୁ ଆସିଥିବା ଅନେକ ମହିଳା କହିଛନ୍ତି ଯେ ମୋର ଆଧାରକାର୍ଡରେ ଲିଙ୍ଗ ସ୍ଥାନରେ ମହିଳା ପରିବର୍ତ୍ତେ ପୁରୁଷ ଓ ଜନ୍ମ ତାରିଖ ମଧ୍ୟ ଭୁଲ୍ ହୋଇଛି। ଏହି ଦୁଇଟି ସମସ୍ୟା ଏକା ସାଙ୍ଗରେ ସମାଧାନ ହେବନି ବୋଲି ଆଧାର କେନ୍ଦ୍ର ପକ୍ଷରୁ କୁହାଯାଉଛି। ଏବେ ଗୋଟିଏ ସମସ୍ୟାର ସମାଧାନ ହେବ ଓ ଆଉ ଗୋଟିଏ ପାଇଁ ୧୫ ଦିନ ସମୟ ଲାଗିବ ବୋଲି କୁହାଯାଉଛି। ତେଣୁ ମୁଁ କେମିତି ଆବେଦନ କରିବି ? ଆମ ପାଖରେ ଆଧାର ସହ ଭୋଟର୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଓ ପ୍ୟାନ୍ କାର୍ଡ ଭଳି ପରିଚୟ ପତ୍ର ଅଛି। ତେଣୁ ଆଧାରର ବିକଳ୍ପ ଭାବେ ସେଗୁଡ଼ିକ ବ୍ୟବହାର କରିବା ପାଇଁ ସରକାର ନିୟମ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଅନେକ ମହିଳା କହିଛନ୍ତି, ଆବେଦନ ପ୍ରକ୍ରିୟାକୁ ଆହୁରି ସରଳୀକରଣ କରାଯାଉ। କେବଳ ଅନ୍ଲାଇନ୍ ବ୍ୟବସ୍ଥା ରହିଲେ, ସମସ୍ତେ ଉପକୃତ ହୋଇପାରିବେ। ନଚେତ ବିଭିନ୍ନ କେନ୍ଦ୍ର ଫର୍ମ ଆଣି ତାକୁ ପୂରଣ କରି ପୁଣି ଅନ୍ଲାଇନ୍ରେ ଆବେଦନ କରିବା ପ୍ରକ୍ରିୟାଟି ସମୟ ସାପେକ୍ଷ। ମହିଳାମାନେ ଘରେ ଓ ବାହାରେ ବିଭିନ୍ନ କାମ କରୁଛନ୍ତି। ଏମିତି ହେବା ଦ୍ୱାରା ଦିନେ ଦୁଇ ଦିନ ସମୟ ଲାଗିଯାଉଛି। ତେଣୁ ଏହା ଉପରେ ସରକାରୀସ୍ତରରେ ବିଚାର କରାଯାଇ ଆବେଦନ ପ୍ରକ୍ରିୟାକୁ ଆହୁରି କୋହଳ କରିବାକୁ ଜନସାଧାରଣ ଦାବି କରିଛନ୍ତି ।।
ସରକାର ଉକ୍ତ ସମସ୍ୟା ର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବିନମ୍ର ନିବେଦନ କରିଛନ୍ତି ସୁଭଦ୍ରା ଯୋଜନା ନିମନ୍ତେ ଆଶାୟୀ ହିତାଧୀକାରୀ ମହିଳା ମାନେ। ସରକାର ଯଥାଶୀଘ୍ର ଉକ୍ତ ସମସ୍ୟା ର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଏକାନ୍ତ ଆବଶ୍ୟକ ।।
ଭୁବନେଶ୍ଵର ବ୍ୟୁରୋ HRTV Odia