ସେବାୟତଙ୍କୁ ଶ୍ରୀମନ୍ଦିର ସେବାରୁ ନିଲମ୍ବନ କଲେ ମୁଖ୍ୟ ପ୍ରଶାସକ
ଆଜି ଉଭାପର୍ବରେ ନୀତିକାନ୍ତି ପାଳନ ସମୟରେ ଦତ୍ତ ମହାପାତ୍ର ସେବାୟତ ରଶ୍ମିରଞ୍ଜନ ଦତ୍ତ ମହାପାତ୍ର ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବାରୁ, ଶ୍ରୀମନ୍ଦିର କମାଣ୍ଡରଙ୍କ ରିପୋର୍ଟ ଆଧାରରେ ମୁଖ୍ୟ ପ୍ରଶାସକ ସଂପୃକ୍ତ ସେବାୟତଙ୍କୁ ଶ୍ରୀମନ୍ଦିର ସେବାରୁ ନିଲମ୍ବନ କରିଛନ୍ତି।ମୁଖ୍ୟ ପ୍ରଶାସକ ସମସ୍ତ ସେବାୟତଙ୍କ ସହଯୋଗ ଓ ସମନ୍ବୟ ପାଇଁ ଆନ୍ତରିକ କୃତଜ୍ଞତା ଜଣାଇବା ସହ ଆଶା ପ୍ରକାଶ କରିଛନ୍ତି ଯେ, ଆଗାମୀ ଦିନରେ ମଧ୍ୟ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସମୟାନୁବର୍ତ୍ତୀତା, ଶୃଙ୍ଖଳା ଏବଂ ଭକ୍ତିଭାବର ସହ ସମ୍ପାଦିତ ହୋଇଚାଲିବ। ସୂଚନା ଅନୁଯାୟୀ, ବନକଲାଗି ନୀତି ଚାଲିଥିବା ବେଳେ ନୀତି ସମୟକୁ ନେଇ କମାଣ୍ଡର ଓ ଓସଟିଡି ନୀତି ସମ୍ପର୍କରେ କଥା ହେବାକୁ ଭିତରକୁ ଯାଇଥିଲେ । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଦତ୍ତ ମହାପାତ୍ର ସେବକ ଓ କମାଣ୍ଡର ଠେଲାପେଲା ହେବାରୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ତୁରନ୍ତ ହସ୍ତକ୍ଷେପ କରିଥିଲା ।