ପୁରୀ ସହରରେ ରଥଯାତ୍ରା ଲାଗି ନିଶା କାରବାରରେ କଟକଣା

ରଥଯାତ୍ରା ପାଇଁ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର । ରଥଯାତ୍ରା ଗହଳିକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ମଦ ଦୋକାନ ବନ୍ଦ ଲାଗି ନିର୍ଦ୍ଦେଶ ଜାରି କରାଯାଇଛି । ରଥଯାତ୍ରା ଅବସରରେ ସହରର ସମେତ ସଦର ଉପକଣ୍ଠରେ ସମସ୍ତ ବିଦେଶୀ, ଦେଶୀ ମଦ ଦୋକାନ ଓ ବାର୍ ପାଖାପାଖି ୪ ଦିନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ଅଧୀକ୍ଷକ । ସୂଚନା ଅନୁସାରେ, ସହର ଓ ଉପକଣ୍ଠରେ ଥିବା ୨୫ଟି ଠିପି ବନ୍ଦ ଓ ଠିପି ଖୋଲା ଏବଂ ୬ରୁ ଊଦ୍ଧ୍ୱର୍ ଭାଙ୍ଗ ଦୋକାନ ବନ୍ଦ ରହିବ । ରଥଯାତ୍ରା ପୂର୍ବଦିନ ଅର୍ଥାତ୍ ୧୫ ତାରିଖ ଅପରାହ୍ଣ ୪ଟାରୁ ୧୬ ତାରିଖ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ ରହିବ । ସେହିଭଳି ବାହୁଡ଼ା ଯାତ୍ରା ପୂର୍ବଦିନ ଅର୍ଥାତ୍ ୨୩ ତାରିଖ ଅପରାହ୍ଣ ୪ଟାରୁ ୨୪ତାରିଖ ବାହୁଡ଼ା ଯାତ୍ରା ଓ ୨୫ ତାରିଖ ସୁନାବେଶ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସମସ୍ତ ମଦ ଦୋକାନ ଓ ବାର୍ ବନ୍ଦ ରହିବ । ଏହି କଟକଣା ସହର ନିକଟବର୍ତ୍ତୀ ଚନ୍ଦନପୁର, ଜାନକାଦେଇପୁର ଓ ବଳିଆପଣ୍ଡା ରୟାଲ ପ୍ୟାଲେସ ରେସ୍ତୋରାଁ ଏବଂ ତୋଷାଳି ସ୍ୟାଣ୍ଡ ପର୍ଯ୍ୟନ୍ତ ଲାଗୁ ହେବ ।