କୁଡାନକୁଲମ ପରମାଣୁ ଶକ୍ତିକେନ୍ଦ୍ରର ଡାଟା ଲିକ୍‌

ତାମିଲନାଡୁରେ ଅବସ୍ଥିତ ଦେଶର ସର୍ବବୃହତ କୁଡାନକୁଲମ ପରମାଣୁ ଶକ୍ତିକେନ୍ଦ୍ର ସହିତ ଜଡ଼ିତ ସମ୍ବେଦନଶୀଳ ଡାଟା ଲିକ୍‌ ହୋଇଛି। ଓ୍ବାଲର୍‌ଡ ଲିକ୍ସ ନାମରେ ଜଣାଶୁଣା ଦୁଇଟି ହ୍ୟାକର ଗୋଷ୍ଠୀ ପାଓ୍ବାର ପ୍ଲାଣ୍ଟ ବିଷୟରେ ସୂଚନା ପୋଷ୍ଟ କରିଛନ୍ତି, ଯେଉଁଥିରେ ପ୍ଲାଣ୍ଟର କିଛି ଅଂଶର ବ୍ଲୁପ୍ରିଣ୍ଟ, ଯୋଗାଣକାରୀ ସୂଚନା, ବୈଠକ ଏବଂ ଯାଞ୍ଚ ରେକର୍ଡ, ଉପକରଣ ସମୀକ୍ଷା ଏବଂ ବୀମା ପଲିସି ସହିତ ଜଡିତ ପ୍ରାୟ ୧୯୦୦୦ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟର ବିବରଣୀ ଅନ୍ତର୍ଭୁକ୍ତ। ଓ୍ବାଲର୍‌ଡ ଲିକ୍ସ ହ୍ୟାକର ଗୋଷ୍ଠୀ ଦାବି କରିଛି ଯେ, ଏହି ଡକ୍ୟୁମେଣ୍ଟଗୁଡ଼ିକ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପର, ଯାହା ପ୍ଲାଣ୍ଟର ଠିକାଦାର ଭାବରେ କାର୍ଯ୍ୟ କରୁଛି।ତାମିଲନାଡୁ ସ୍ଥିତ କୁଡନକୁଲମ୍ ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟ ଭାରତର ୭ ପରମାଣୁ ୟୁନିଟ୍ ଭିତରୁ ସବୁଠାରୁ ବଡ। ରଏଟର୍ସର ରିପୋର୍ଟ ଅନୁସାରେ, ଅନିଲ ଅମ୍ବାନୀଙ୍କ ରିଲାୟନ୍ସ ଗ୍ରୁପ୍ କହିଛି ଯେ, ଏହାର ଡାଟାରେ ଆଶିଂକ ଲିକ୍ ହୋଇଛି। କମ୍ପାନୀ କହିଛି ଏହି ଡାଟା ଥାର୍ଡ ପାର୍ଟି ଡାଟା ସେଣ୍ଟର ସର୍ଭିସ ପ୍ରୋଭାଇଡର ‘ୟୋଟ୍ଟା’ର ସର୍ଭରରେ ହୋଷ୍ଟ ଥିଲା। ରିଲାୟନ୍ସ ଏହି ଘଟଣାର ସୂଚନା ଭାରତ ସରକାରଙ୍କୁ ଦେଇଛି। ତେବେ କମ୍ପାନୀ ଏହା କହି ନାହିଁ ଯେ, କେଉଁ ଭଳି ଡାଟା ଚୋରି ହୋଇଛି। ପରମାଣୁ ସୁରକ୍ଷା ସମ୍ପର୍କିତ ମାମଲାରେ ସରକାରଙ୍କୁ ପରାମର୍ଶ ଦେବା ଓ ଦେଶର ପ୍ରସ୍ତୁତିର ଆକଳନ କରୁଥିବା ସଂସ୍ଥା ‘ନ୍ୟୁକ୍ଳିଅର ଥ୍ରେଟ୍’ ଇନିଶିଏଟିଭ ସିନିୟର ଡାଇରେକ୍ଟର ନିକୋଲାସ୍ ରୋଥ୍ କହିଛନ୍ତି, ଡାଟା ଲିକ୍ ଦ୍ବାରା ପ୍ଳାଣ୍ଟର ସୁରକ୍ଷା ପ୍ରତି ଗମ୍ଭୀର ବିପଦ ହୋଇପାରେ। ଏଭଳି ଘଟଣା କମ୍ପାନୀ ଉପରେ ସୁରକ୍ଷା ପ୍ରଶ୍ନବାଚୀ ସୃଷ୍ଟି କରିଛି।