ଆସନ୍ତାକାଲି ଅପରାହ୍ଣ ୪ଟାରେ ରଥଟଣା
ରାତି ପାହିଲେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ତେଣୁ ପରମ୍ପରା ଅନୁଯାୟୀ, ବୁଧବାର ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ପାଳିଆ ପୂଜାପଣ୍ଡା ସାମନ୍ତ ତିନିବାଡ଼ରୁ ୩ଟି ଆଜ୍ଞାମାଳ ଆଣି ଘଣ୍ଟା, ଛତା, କାହାଳୀ ସହ ରଥଖଳାରେ ବିଜେ କରିଥିଲେ।ପରମ୍ପରା ଅନୁଯାୟୀ, ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା। ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଶେଷରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଆଜ୍ଞାମାଳ ବିଜେ କରାଯାଇଥିଲା।ବର୍ତ୍ତମାନ ଭୋଇ ସେବକମାନେ ରଥରେ ଦଉଡ଼ି଼ ସଂଯୋଗ କରିବେ। ତାଳଧ୍ୱଜ ରଥରେ ବିଜେ କାହାଳୀ ବାଜିବା ପରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ତିନିରଥ ଟଣାଯିବ। ଆସନ୍ତାକାଲି ସାଢ଼େ ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୨ଟାରେ ସରିବ ପହଣ୍ଡି , ୨ଟାରୁ ୩ଟା ମଧ୍ୟରେ ଛେରାପହଁରା । ଅପରାହ୍ଣ ୪ଟାରେ ହେବ ରଥଟଣା ।ରାତି ପାହିଲେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ରଥ,ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ।