ସେବାର ୨୫ ବର୍ଷ ପୂରଣ, ଏବେ ୨୦୪୭ ଉପରେ ମୋଦୀଙ୍କ ଫୋକସ୍
୨୫ ବର୍ଷର ନିରନ୍ତର ସେବା ପୂରଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତର ଭବିଷ୍ୟତ ଲକ୍ଷ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ”ବିକଶିତ ଭାରତ ସଂକଳ୍ପ ସଭା”ରେ ନିଜର ଜୀବନ ଯାତ୍ରା ସମ୍ପର୍କରେ ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଆଜି ବି ଜଣେ ଛାତ୍ର ବୋଲି କହିଛନ୍ତି। ବୁଧବାର ଦିନ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଆୟୋଜିତ ଭବ୍ୟ ସମାରୋହରେ ଦେଶବାସୀଙ୍କୁ ‘ୱି କ୍ୟାନ୍ ଡୁ ଇଟ୍’ (ଆମେ ଏହା କରିପାରିବା) ର ନୂତନ ନାରା ଦେଇ ୨୦୪୭ ସୁଦ୍ଧା ବିକଶିତ ଭାରତ, ଓଲମ୍ପିକ୍ସ ଆୟୋଜନ ଏବଂ ମହାକାଶରେ ଅଭିଯାନ ପରି ତିନୋଟି ବଡ଼ ଲକ୍ଷ୍ୟ ହାସଲ କରିବାକୁ ଆହ୍ୱାନ ଦେଇଛନ୍ତି।୨୦୦୧ ଅକ୍ଟୋବରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବା ପରଠାରୁ ୨୦୧୪ ମେ”ରୁ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟରତ ମୋଦୀ ନିଜ ବଡ଼ନଗର ସ୍କୁଲ ଦିନର ସ୍ମୃତି ମନେପକାଇ କହିଛନ୍ତି ଯେ, ସେ ସବୁବେଳେ ପ୍ରଥମେ ଶ୍ରେଣୀଗୃହରେ ପହଞ୍ଚୁଥିଲେ ଏବଂ ସେହି ଶିଖିବାର ଆଗ୍ରହ ଆଜି ବି ତାଙ୍କ ଭିତରେ ଜୀବିତ ରହିଛି। ଗଣତନ୍ତ୍ରର ଶକ୍ତି ବୁଝାଇବାରେ ତାଙ୍କର ବିରୋଧୀ ଓ ସମାଲୋଚକମାନେ ତାଙ୍କୁ ନିଜ ଭିତରେ ଆତ୍ମସମୀକ୍ଷା କରିବାରେ ବଡ଼ ସାହାଯ୍ୟ କରିଛନ୍ତି। ଦେଶବାସୀଙ୍କୁ ‘ଭଗବାନ୍’ ବୋଲି ଅଭିହିତ କରି ସେ କହିଛନ୍ତି ଯେ ଜନସାଧାରଣଙ୍କ ଅପାର ବିଶ୍ୱାସ ଯୋଗୁଁ ସେ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି ଏବଂ ଦେଶବାସୀଙ୍କର ତାଙ୍କ ଉପରେ ସବୁଠାରୁ ବଡ଼ ଅଧିକାର ରହିଛି।ନିଜର ୨୫ ବର୍ଷର ରାଜନୈତିକ ଯାତ୍ରାକୁ ମନେ ପକାଇ ମୋଦୀ କହିଛନ୍ତି ଯେ ଏହି ଯାତ୍ରାର ପ୍ରତ୍ୟେକ ବ୍ୟକ୍ତି ଓ ଘଟଣା ତାଙ୍କୁ କିଛି ନା କିଛି ଶିଖାଇଛି। ଯେଉଁମାନେ ତାଙ୍କୁ ଜିତାଇଛନ୍ତି, ସେମାନେ ତାଙ୍କୁ ବିନମ୍ର ହେବା ଶିଖାଇଛନ୍ତି। ଯେଉଁମାନେ ତାଙ୍କୁ ହରାଇଛନ୍ତି, ସେମାନେ ପୁଣି ଠିଆ ହେବା ଶିଖାଇଛନ୍ତି। ଶୁଭଚିନ୍ତକମାନେ ଉତ୍ସାହିତ କରିଥିବା ବେଳେ ସମାଲୋଚକମାନେ ନିଜ ଭିତରକୁ ଦେଖିବାର ସୁଯୋଗ ଦେଇଛନ୍ତି ବୋଲି ସେ କହିଛନ୍ତି। ମୋଦୀ ଆହୁରି କହିଛନ୍ତି ଯେ ଯେଉଁମାନେ ତାଙ୍କ ସହ ରହିଛନ୍ତି, ସେମାନେ ବିଶ୍ୱାସର ଶକ୍ତି ଦେଖାଇଛନ୍ତି ଏବଂ ଯେଉଁମାନେ ବିରୋଧ କରିଛନ୍ତି, ସେମାନେ ଗଣତନ୍ତ୍ରର ଶକ୍ତି ବୁଝାଇଛନ୍ତି। ପ୍ରତ୍ୟେକ ସଙ୍କଟ ତାଙ୍କ ଧୈର୍ଯ୍ୟର ପରୀକ୍ଷା ନେଇଛି, ଆଉ ପ୍ରତ୍ୟେକ ସଫଳତା ତାଙ୍କ ଦାୟିତ୍ୱକୁ ଆହୁରି ବଢ଼ାଇଛି ବୋଲି ସେ କହିଛନ୍ତି।