ହର୍ମୁଜ ପ୍ରଣାଳୀ ପୁଣି ବନ୍ଦ କଲା ଇରାନ: ଆମେରିକା ଯୁଦ୍ଧବିରତି ଉଲ୍ଲଂଘନ କରୁଥିବା ଅଭିଯୋଗ
ଆମେରିକା-ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ହର୍ମୁଜ ପ୍ରଣାଳୀ ବିବାଦର କେନ୍ଦ୍ର ହୋଇ ରହିଛି। ତେବେ ଇରାନ ହର୍ମୁଜ ପ୍ରଣାଳୀରୁ କଟକଣା ପ୍ରତ୍ୟାହାର କରିଥିବାବେଳେ ଶନିବାର ପୁଣି ଥରେ କଟକଣା ଲାଗୁ କରିଛି। ଆମେରିକା ଯୁଦ୍ଧ ବିରତି ଉଲ୍ଲଂଘନ କରୁଥିବା ଇରାନ ଅଭିଯୋଗ କରିଛି। ଶନିବାର ହର୍ମୁଜ ପ୍ରଣାଳୀ ପାର୍ ହେବାକୁ ଚେଷ୍ଟା କରିବା ସମୟରେ ୨ଟି ଜାହାଜ ଉପରେ ଗୁଳିଚାଳନା ହୋଇଥିବା ଅଭିଯୋଗ ହୋଇଛି।ଇରାନୀ ସଂସଦର ରାଷ୍ଟ୍ରୀୟ ସୁରକ୍ଷା ସମିତିର ପ୍ରମୁଖ ଇବ୍ରାହିମ ଅଜିଜ କହିଛନ୍ତି, ଏବେ ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଥିବା ସମସ୍ତ ବାଣିଜ୍ୟକ ଜାହାଜ ଆଇଆରଜିସି ନୌସେନାର ଅନୁମତି ନେବାକୁ ହେବ । ଇରାନର ଏହି ଆକ୍ରମକ ପଦକ୍ଷେପ ପରେ ଆମେରିକା ସହିତ ଚରମ ସୀମାରେ ପହଞ୍ଚିଛି ।
ଇରାନ ସେନା ଘୋଷଣା କରିଛି କି, ହର୍ମୁଜ ପ୍ରଣାଳୀରେ ପୁଣିଥରେ ସେନାର ନିୟନ୍ତ୍ରଣ ରହିବ । ହର୍ମୁଜ ଖୋଲିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା । ୱାଶିଂଟନ ସହିତ ତେହେରାନ ଯେପର୍ଯ୍ୟନ୍ତ ଏହାର ପରମାଣୁ କାର୍ଯ୍ୟକ୍ରମ ସମେତ ଚୁକ୍ତିରେ କରି ନାହିଁ ସେପର୍ଯ୍ୟନ୍ତ ଆମେରିକୀୟ ଅବରୋଧ ବଳବତ୍ତର ରହିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ।