RBIର ବଡ଼ ନିଷ୍ପତ୍ତି: ବଢ଼ିଲା ୨୫ ବେସିସ୍‌ ପଏଣ୍ଟ ରେପୋ ରେଟ୍

ଋଣ ନେଇଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର । ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟାଜ ହାରକୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ତିନି ଦିନ ଧରି ଚାଲିଥିବା ମନିଟାରୀ ପଲିସି କମିଟି ବୈଠକ ପରେ RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ବ୍ୟାଜ ହାର ବୃଦ୍ଧି ଘୋଷଣା କରିଛନ୍ତି । ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି ହୋଇଛି । ୪ ବର୍ଷ ପରେ ୫.୨୫%ରୁ ବୃଦ୍ଧି ପାଇ ୫.୫୦% ହୋଇଛି ରେପୋ । ଏହି ବୃଦ୍ଧି ପରେ ସାଧାରଣ ଲୋକଙ୍କ ଋଣ ଇଏମଆଇ ବୃଦ୍ଧି ପାଇବ । ଶେଷ ଥର ପାଇଁ ଫେବୃଆରୀ ୨୦୨୩ ରେ ରେପୋ ରେଟ୍ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ଏବଂ ଅଶୋଧିତ ତୈଳ ଦର ବୃଦ୍ଧି ମଧ୍ୟ ଭାରତୀୟ ଅର୍ଥନୀତି ପାଇଁ ଚିନ୍ତାର କାରଣ ପାଲଟିଛି । ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ମହଙ୍ଗା ହେଲେ ଦେଶର ମୁଦ୍ରାସ୍ଫୀତି ଉପରେ ଚାପ ବଢ଼ିପାରେ । ଏହା ସହିତ ଭାରତର ଚାଲୁ ଖାତା ନିଅଣ୍ଟ ମଧ୍ୟ ପ୍ରଭାବିତ ହୋଇପାରେ ।