ଆଗାମୀ ରଥଯାତ୍ରା–୨୦୨୬କୁ ସ୍ୱଚ୍ଛ, ସୁରକ୍ଷିତ ଓ ସୁପରିଚାଳିତ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୁରୀରେ ପ୍ରସ୍ତୁତି ଜୋରଦାର

ପୁରୀ:- 04/07/2026 ଆଗାମୀ ରଥଯାତ୍ରା–୨୦୨୬କୁ ସ୍ୱଚ୍ଛ, ସୁରକ୍ଷିତ ଓ ସୁପରିଚାଳିତ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୁରୀରେ ପ୍ରସ୍ତୁତି ଜୋରଦାର କରାଯାଇଛି। ଏନେଇ ସର୍କିଟ ହାଉସରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ରଥଯାତ୍ରା ସମୟରେ ସହରର ସ୍ୱଚ୍ଛତା, ପାନୀୟ ଜଳ, ଶୌଚାଳୟ, ପାର୍କିଂ, ଆଲୋକୀକରଣ, ଟ୍ରାଫିକ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ସହରର ସମସ୍ତ ନଳା ସଫା କରାଯାଇଥିବା ବେଳେ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର ଡ୍ରେନ୍ ମଧ୍ୟ ପରିଷ୍କାର କରାଯାଇଛି। ୨୪ଟି ପାର୍କିଂ ସ୍ଥଳ ପ୍ରସ୍ତୁତ ହୋଇଥିବା ସହ ରାସ୍ତା ଓ ମ୍ୟାନହୋଲ୍ ମରାମତି କାମ ସମ୍ପୂର୍ଣ୍ଣ ହୋଇଛି।ବର୍ଷାକୁ ଦୃଷ୍ଟିରେ ରଖି ୩୦ଟି ଜଳ ଜମା ଅଞ୍ଚଳରେ ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପସେଟ୍ ବ୍ୟବସ୍ଥା କରାଯାଇଛି। ଏଥିସହ ବୁଲା ଗାଈଗୋରୁ ନିୟନ୍ତ୍ରଣ ପାଇଁ କାଞ୍ଜିଆହୁଦା ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ରଥଯାତ୍ରାରେ ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ବଣ୍ଟନକୁ ବାରଣ କରାଯାଇଥିବା ବେଳେ କେବଳ ଶୁଖିଲା ଖାଦ୍ୟ ବଣ୍ଟନକୁ ଅନୁମତି ମିଳିବ। ସ୍ୱଚ୍ଛତା ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଜୋରିମାନ ଆଦାୟ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଭକ୍ତମାନଙ୍କ ସୁବିଧା ପାଇଁ ସହରର ବିଭିନ୍ନ ସ୍ଥାନରେ ସୂଚନା ଫଳକ ଲଗାଯିବ ବୋଲି ପୁରୀ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଥିଲା।ପୁରୀରୁ ପ୍ରକାଶ କାଣ୍ଡି HR TV ଓଡ଼ିଆ