‘ଆଙ୍ଗନ୍ କା ଉତ୍ସବ’ର ଶୁଭାରମ୍ଭ, ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ୀ ସହାୟତା

ବଢ଼ିଲା ଅଙ୍ଗନବାଡ଼ି ଦିଦିଙ୍କ ଶାଢ଼ୀ ଟଙ୍କା। ପୂର୍ବରୁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ଶାଢ଼ୀ ପାଇଁ ୧୩୯୦ ଟଙ୍କା ମିଳୁଥିଲା। ଏବେ ଏହି ରାଶିକୁ ୧୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ଆଙ୍ଗନ୍ କା ଉତ୍ସବ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି ।ଏଥିସହ ରାଜ୍ୟର ପୋଷଣ, ସ୍ୱାସ୍ଥ୍ୟ ଓ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ସେବାର ମୁଖ୍ୟ ପୁରୋଧା ସାଜିଥିବା ଅଙ୍ଗନବାଡ଼ି କର୍ମୀଙ୍କ ପ୍ରଶାସନିକ ବୋଝ କମାଇବା ପାଇଁ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ‘ଦୀପ୍ତି’ (DIPTI – Direct Invoice Payment & Tracking Interface) ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଡିସକମ୍ (DISCOM) ର ମିଳିତ ସହଯୋଗରେ ବିକଶିତ ଏହି ଡ଼ିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ବିଜୁଳି ବିଲ୍ ଯାଞ୍ଚ, ପରିଶୋଧ ଓ ଟ୍ରାକିଂ ସିଧାସଳଖ ସମ୍ପାଦିତ ହେବ ଏବଂ ଏହି ଦିଗରେ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶାରେ ପ୍ରଥମ ବିଭାଗ ହୋଇଥିବାରୁ ଅନ୍ତର୍ଭୁକ୍ତ ଅଧିକାରୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ସାଧୁବାଦ୍ ଜଣାଇଛନ୍ତି। ଏହାଦ୍ୱାରା ଅଙ୍ଗନବାଡ଼ି କର୍ମୀମାନେ ବିଜୁଳି ବିଲ୍ ଦେବାର ଆର୍ଥିକ ଦାୟିତ୍ୱରୁ ମୁକ୍ତ ହେବା ସହ କେନ୍ଦ୍ରଗୁଡ଼ିକରେ ଅବିରତ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ ହେବ। ଏହି ପଦକ୍ଷେପ ଅଙ୍ଗନବାଡ଼ି କର୍ମୀଙ୍କ ବହୁମୂଲ୍ୟ ସମୟ ବଞ୍ଚାଇବ, ଯାହାକୁ ସେମାନେ ଶିଶୁ ଓ ମା’ମାନଙ୍କର ସେବାରେ ନିୟୋଜିତ କରିପାରିବେ ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି ।