ବିଜେପି ମୋତେ ପଚାରୁ ନାହିଁ: ଦଳ ଉପରେ ଅସନ୍ତୋଷ କାରଣ କହିଲେ କ୍ୟାପ୍ଟେନ ଅମରିନ୍ଦର ସିଂହ

ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ ଥିବା ବେଳେ ଦଳ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ବିଜେପିର ବରିଷ୍ଠ ନେତା କ୍ୟାପ୍ଟେନ୍ ଅମରିନ୍ଦର ସିଂହ। ତାଙ୍କର ପାଖରେ ରାଜ୍ୟ ରାଜନୀତିରେ ୬୦ ବର୍ଷର ଅଭିଜ୍ଞତା ଅଛି। ଦୀର୍ଘ ବର୍ଷ ହେବ ସେ ରାଜନୀତିକୁ ଦେଖୁଛନ୍ତି, ତଥାପି ଦଳ ତାଙ୍କୁ କୌଣସି କଥା ପଚାରୁ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।୨୦୨୧ରେ କଂଗ୍ରେସ ଛାଡ଼ି ନିଜସ୍ୱ ଦଳ ”ପଞ୍ଜାବ ଲୋକ କଂଗ୍ରେସ” ଗଠନ କରିଥିବା ଅମରିନ୍ଦର, ୨୦୨୨ରେ ଏହାକୁ ବିଜେପି ସହ ମିଶ୍ରଣ କରିଥିଲେ। ତେବେ ଏହି ବକ୍ତବ୍ୟ ପରେ ସେ ପୁଣି କଂଗ୍ରେସକୁ ଫେରିପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲେ ବି ସେ ବିଜେପି ଛାଡ଼ିବା ଚିନ୍ତା କରୁନଥିବା ସ୍ପଷ୍ଟ କରିଛନ୍ତି। ପଞ୍ଜାବ ବିଷୟରେ ନିଜର ମତାମତ ରଖିବା ବିଜେପିର ଜଣେ ଦାୟିତ୍ବବାନ ସଦସ୍ୟ ଭାବେ ତାଙ୍କର କର୍ତ୍ତବ୍ୟ ଏବଂ ଏହାର ଅର୍ଥ ଦଳ ଛାଡ଼ିବା ନୁହେଁ ବୋଲି ସେ ଦୋହରାଇଛନ୍ତି।କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ବୟସ ବର୍ତ୍ତମାନ ୮୪ । ତେଣୁ ତାଙ୍କ ବୟସ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏନେଇ ସେ କହିଛନ୍ତି ଯେ ରାଜନୈତିକ କ୍ୟାରିୟର ପୂର୍ଣ୍ଣଚ୍ଛେଦ ପକାଇବାରେ ବୟସର ଆବଶ୍ୟକତା ନଥାଏ। ଏନେଇ ସେ ମୋରାରଜୀ ଦେଶାଇଙ୍କ ଉଦାହରଣ ଦେଇଥିଲେ। ଏବଂ ସେ ୮୧ ବୟସରେ ବି ପ୍ରଧାନମନ୍ତ୍ରୀ ହୋଇଥିଲେ ବୋଲି ଅମରିନ୍ଦର କହିଥିଲେ। ସେ କହିଛନ୍ତି “ମୋତେ ୮୪ ବୟସ, କିନ୍ତୁ ମୋରାରଜୀ ଦେଶାଇ ବି ୯୨ ବର୍ଷର ଥିଲେ।”