ବାଲିଯାତ୍ରା ପାର୍କିଂ ଷ୍ଟାଣ୍ଡ୍‌ ପାଇଁ ଟେଣ୍ଡର ଡାକିଲା ପ୍ରଶାସନ

ରାଜ୍ୟର ପ୍ରାଚୀନ କଳା, ହସ୍ତଶିଳ୍ପ, ସଂସ୍କୃତି ଏବଂ ସାମୁଦ୍ରିକ ଐତିହ୍ୟକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ। ତେବେ ସହରର ବିଭିନ୍ନ ସ୍ଥାନରେ ଚିହ୍ନଟ ପାର୍କିଂଷ୍ଟାଣ୍ଡ୍ ଗୁଡ଼ିକୁ ଅସ୍ଥାୟୀ ଲିଜ୍ ପ୍ରଦାନ ଓ ନିଲାମ ନିମନ୍ତେ ଇଚ୍ଛୁକ ବ୍ୟକ୍ତି, ଫାର୍ମ ଓ ଅନୁଷ୍ଠାନ ମାନଙ୍କଠାରୁ ସିଲ୍ ଟେଣ୍ଡର୍ ଆହ୍ୱାନ କରାଯାଇଛି । ପାର୍କିଂ ସ୍ଥଳଗୁଡ଼ିକ “ଯେପରି ଅଛି, ଯେଉଁଠାରେ ଅଛି’ ଭିତ୍ତିରେ ନିଲାମ କରାଯିବ । ଟେଣ୍ଡର ସମ୍ପର୍କିତ ବିଡ୍ ଡକ୍ୟୁମେଣ୍ଟ୍, ପାର୍କିଂ ସ୍ଥଳର ବିବରଣୀ, ସର୍ତ୍ତାବଳୀ ଓ ଅନ୍ୟାନ୍ୟ ତଥ୍ୟ କଟକ ଜିଲ୍ଲା ପ୍ରଶାସନର ୱେବେସାଇଟ୍‌ରେ ଉପଲବ୍ଧ ରହିଛି ।ଆଜିଠୁ ଇଚ୍ଛୁକ ବ୍ୟକ୍ତି ବିଡ୍ ଡକ୍ୟୁମେଣ୍ଟ୍ ଡାଉନଲୋଡ୍ ଓ ସଂଗ୍ରହ କରିପାରିବେ। ଟେଣ୍ଡର ସମ୍ପର୍କିତ କୌଣସି ସ୍ପଷ୍ଟୀକରଣ ଆବଶ୍ୟକ ହେଲେ ଲିଖିତ ପ୍ରଶ୍ନ ଆସନ୍ତା ଅକ୍ଟୋବର ୨ ତାରିଖ ଅପରାହ୍ନ ୩.୦୦ଟା ସୁଦ୍ଧା ଦାଖଲ କରିବାକୁ ହେବ।ପୂରଣ କରାଯାଇଥିବା ଟେଣ୍ଡର୍ ୮ ଅକ୍ଟୋବର ଅପରାହ୍ନ ୫ଟା ସୁଦ୍ଧା ଟେଣ୍ଡର ବକ୍ସରେ ଦାଖଲ କରାଯାଇପାରିବ । ୯ ତାରିଖ ମଧ୍ୟାହ୍ନ ୧୨ଟାରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ପୁରୁଣା ସମ୍ମିଳନୀ କକ୍ଷରେ ଟେଣ୍ଡରଦାତା ଏବଂ ଏଥିପାଇଁ ଗଠିତ କମିଟିର ସଦସ୍ୟମାନଙ୍କ ଉପସ୍ଥିତିରେ ଖୋଲାଯିବ ।