ଶ୍ରୀଜୀଉଙ୍କର ହେବ ନୂଆ ସୁନାବେଶ ସେଟ୍‌

ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ । ବୈଠକରେ ଶ୍ରୀମନ୍ଦିରର ବିଭିନ୍ନ ନୀତି ନିର୍ଦ୍ଧାରଣ ସହ ଏକାଧିକ ପ୍ରସ୍ତାବ ଉପରେ ଆଲୋଚନା ଓ ନିଷ୍ପତ୍ତି ହୋଇଛି। ମହାପ୍ରଭୁଙ୍କ ପାଇଁ ନୂଆ ସୁନାବେଶ ସେଟ୍‌ ନିର୍ମାଣ, ଶ୍ରୀଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପାଇଁ ଖୋଲିବା, ଦିବ୍ୟାଙ୍ଗ ଓ ପୁରୀବାସୀଙ୍କ ଦର୍ଶନ ବ୍ୟବସ୍ଥା ସହ ସେବାୟତ କଲ୍ୟାଣ ଓ ଆଦର୍ଶ ଗୁରୁକୁଳ ନେଇ ମଧ୍ୟ ଆଲୋଚନା ହୋଇଛି ।। ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ମିଳିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।ନୂଆ ଅଳଙ୍କାର ସେଟ୍‌ ପ୍ରସ୍ତୁତି ପରେ ଏହାକୁ ଶ୍ରୀଜିଉଙ୍କ ସୁନାବେଶରେ ବ୍ୟବହାର କରାଯିବ। ତେବେ ଅଳଙ୍କାରଗୁଡ଼ିକର ଡିଜାଇନ୍‌, ଓଜନ, ନିର୍ମାଣ ପ୍ରକ୍ରିୟା ଓ ଅନ୍ୟାନ୍ୟ ବିବରଣୀ ସମ୍ପର୍କରେ ଅଧିକ ସୂଚନା ଆଗାମୀ ଦିନରେ ମିଳିବ।ଶ୍ରୀଜିଉଙ୍କ ସୁନାବେଶରେ ବ୍ୟବହୃତ ସ୍ୱର୍ଣ୍ଣ ଅଳଙ୍କାରଗୁଡ଼ିକର ଧାର୍ମିକ ଓ ପାରମ୍ପରିକ ଗୁରୁତ୍ୱ ରହିଛି। ନୂଆ ଅଳଙ୍କାର ସେଟ୍‌ ତିଆରି ହେବା ନେଇ ଶ୍ରୀଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି।