ଆଜି ବିଦେଶ ଗସ୍ତରୁ ଫେରି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମୋଦି
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ରାଷ୍ଟ୍ର ଗସ୍ତ ଶେଷ କରି ଗୁରୁବାର ସକାଳେ ଦେଶକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ, ସ୍ବିଡେନ, ନରୱେ ଏବଂ ଇଟାଲୀର ସଫଳ କୂଟନୈତିକ ଗସ୍ତ ପରେ ନୂଆଦିଲ୍ଲୀ ଫେରିଛନ୍ତି। ତେବେ ଆଜି ମୋଦିଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ୫ଟାରେ ବସିବ ମନ୍ତ୍ରିପରିଷଦ ବୈଠକ। ସେବା ତୀର୍ଥରେ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ବସିବାକୁ ଯାଉଛି। ବୈଠକରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର କାର୍ଯ୍ୟକାରିତା ବ୍ୟାପକ ସମୀକ୍ଷା କରାଯିବ। ସରକାରୀ ଯୋଜନା ଏବଂ ନୀତିଗୁଡ଼ିକର କାର୍ଯ୍ୟାନ୍ୱୟନର ଅଗ୍ରଗତି ସଂପର୍କରେ ମୂଲ୍ୟାଙ୍କନ କରାଯିବ।ଏହି ବୈଠକରେ ପଶ୍ଚିମ ଏସିଆ ସଙ୍କଟ ଓ କ୍ୟାବିନେଟ ଅଦଳବଦଳ ନେଇ ଚର୍ଚ୍ଚା ହେବ ବୋଲି ଜଣାପଡ଼ିଛି। ସବୁ କେନ୍ଦ୍ର ମନ୍ତ୍ରୀଙ୍କୁ ଦିଲ୍ଲୀରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ମନ୍ତ୍ରିମଣ୍ଡଳରେ ୭୨ ଜଣ ସଦସ୍ୟ ଅଛନ୍ତି। ସର୍ବାଧିକ ୮୧ ଜଣ ମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇପାରିବ। କିଛି ନୂଆ ମୁହଁଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବା ସମ୍ଭାବନା ଥିବାବେଳେ, ଏଥର କିଛି ମନ୍ତ୍ରୀଙ୍କୁ ସେମାନଙ୍କ କାର୍ଯ୍ୟଦକ୍ଷତା ଆଧାରରେ ହଟାଇବା ବିଷୟରେ ମଧ୍ୟ ଆଲୋଚନା ହେଉଛି