ଆଜି ବିଶ୍ଵ ମଶା ଦିବସ

୧୮୯୭, ଅଗଷ୍ଟ ୨୦ ତାରିଖରେ ସାର ରୋନାଲ୍ଡ ରସ୍ ମଶା କାମୁଡିବା ଦ୍ୱାରା ମ୍ୟାଲେରିଆ ବ୍ୟାପୁଥିବା ନେଇ ତଥ୍ୟର ଆବିଷ୍କାର କରିଥିଲେ। ଏଥିପାଇଁ ୧୯୦୨ରେ ତାଙ୍କୁ ନୋବେଲ ପୁରସ୍କାର ମିଳିଥିଲା। ତାଙ୍କ ଅବଦାନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସ ଆଜିର ଦିନରେ ‘ବିଶ୍ୱ ମଶା ଦିବସ’ ପାଳନ ହୋଇଆସୁଛି। ତେବେ ପଶ୍ଚିମ ଓଡ଼ିଶା ଚାଷପ୍ରବଣ ଅଞ୍ଚଳ । ଧାନ ଓ ଅନ୍ୟାନ୍ୟ ଫସଲ ଚାଷ ପାଇଁ ବିସ୍ତୃତ ଜମି ରହିଥିବା ବେଳେ ଅନେକ ଗାଁରେ ଘର ପାଖରେ ଗାଈଗୋରୁ ସମେତ ଗୃହପାଳିତ ପଶୁ ରଖାଯାଏ । ଚାଷଜମି, ନାଳନର୍ଦ୍ଦମା, ଜମି ରହୁଥିବା ପାଣି ଓ ପଶୁପାଳନ ଅଞ୍ଚଳରେ ଆର୍ଦ୍ର ପରିବେଶ ମଶା ବଂଶବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରୁଛି । ଫଳରେ ଅନେକ ସ୍ଥାନରେ ମଶା ପ୍ରାଦୁର୍ଭାବ ଅଧିକ ଅନୁଭୂତ ହେଉଛି । ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲା ମ୍ୟାଲେରିଆ ମାମଲାର ଅଧିକ ଭାର ଥିବା ଅଞ୍ଚଳ ମଧ୍ୟରେ ରହିଛି । କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ ଓ ନୂଆପଡ଼ା ଭଳି ଜିଲ୍ଲାରେ ମ୍ୟାଲେରିଆର ଭାର ଅଧିକ ରହିଛି । ସାଧାରଣତଃ ମ୍ୟାଲେରିଆ ମଶା କାମୁଡ଼ିବା ଯୋଗୁଁ ହୋଇଥାଏ। ପ୍ଲାଜ୍‌ମୋଡିୟମ୍‌ ପାରାସାଇଟ୍‌ସ ଦ୍ୱାରା ସଂକ୍ରମିତ ମଶା ମଣିଷକୁ କାମୁଡ଼ିବା ଦ୍ୱାରା ମ୍ୟାଲେରିଆ ହୋଇଥାଏ।