ସମ୍ପତ୍ତିରୁ ସନ୍ତାନଙ୍କୁ ବେଦଖଲ କରିପାରିବେ ମାତାପିତା ; ଆହ୍ଲାବାଦ ହାଇକୋର୍ଟ ରାୟ ସୁପ୍ରିମକୋର୍ଟରେ ଖାରଜ

ବୃଦ୍ଧ ବାପା-ମାଆଙ୍କ ଅଧିକାର ଓ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମେଣ୍ଟେନାନ୍ସ ଆଣ୍ଡ ୱେଲଫେୟାର ଅଫ ପ୍ୟାରେଣ୍ଟସ ଆଣ୍ଡ ସିନିୟର ସିଟିଜେନ୍ସ ଆକ୍ଟ, ୨୦୦୭ ଅନୁଯାୟୀ, ଗଠିତ ଟ୍ରିବ୍ୟୁନାଲ୍‌ର ଅଧିକାର କେବଳ ବୃଦ୍ଧଙ୍କୁ ଭରଣପୋଷଣ ଦେବାରେ ସୀମିତ ନୁହେଁ। ଆବଶ୍ୟକ ହେଲେ, ବୃଦ୍ଧ ପିତାମାତାଙ୍କ ସୁରକ୍ଷା, ଭରଣପୋଷଣ ଓ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା ପାଇଁ ସନ୍ତାନ କିମ୍ବା ଅନ୍ୟ ସମ୍ପର୍କୀୟଙ୍କୁ ସମ୍ପତ୍ତିରୁ ବେଦଖଲ କରିବାକୁ ଟ୍ରିବ୍ୟୁନାଲ୍‌ ଆଦେଶ ଦେଇପାରିବ।ତେବେ ସବୁ ବିବାଦରେ ପୁଅବୋହୂଙ୍କୁ ସମ୍ପତ୍ତିରୁ ବେଦଖଲ କରାଯାଇପାରିବ ନାହିଁ। ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ଭରଣପୋଷଣ ପାଇଁ ଜରୁରୀ ହେଲେ ଏପରି ପଦକ୍ଷେପ ନେଇ ହେବ। ଖଣ୍ଡପୀଠ କହିଥିଲେ ଯେ ୨୦୦୭ ଆଇନର ଧାରା ୭ ଅଧୀନରେ ଭରଣପୋଷଣ ଟ୍ରାଇବ୍ୟୁନାଲ ଗଠନ କରାଯାଇଛି। ଧାରା-୮ରେ କିଛି ମାମଲାରେ ଟ୍ରାଇବ୍ୟୁନାଲଙ୍କୁ ସିଭିଲ କୋର୍ଟ ଭଳି କ୍ଷମତା ପ୍ରଦାନ କରାଯାଇଛି। ସେହିପରି ଧାରା ୨୭ ସିଭିଲ କୋର୍ଟର ଅଧିକାରକୁ ସୀମିତ କରୁଛି। ଏଭଳି ସ୍ଥିତିରେ ଆଇନର ଉଦ୍ଦେଶ୍ୟ ପୂରଣ ପାଇଁ ଟ୍ରାଇବ୍ୟୁନାଲ ଜରୁରୀ ନିର୍ଦେଶ ଜାରି କରିପାରିବେ।ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ପି.ଏସ୍. ନରସିଂହା ଓ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି।ଏହି ମାମଲା ରବି କାନ୍ତ ଗୁପ୍ତା ବନାମ ଉତ୍ତରପ୍ରଦେଶ ସରକାର ସହ ସମ୍ପର୍କିତ। ଲକ୍ଷ୍ନୌର ବିକାଶ ନଗରରେ ଥିବା ଏକ ଘରକୁ ନେଇ ବିବାଦ ହୋଇଥିଲା। ରବି କାନ୍ତ ଗୁପ୍ତା ଏହି ଘରର ମାଲିକ ଥିଲେ। ତାଙ୍କ ୮୧ ବର୍ଷୀୟ ମାଆଙ୍କୁ ଘରେ ରହିବାରେ ସମସ୍ୟା ହେବା ପରେ ତାଙ୍କୁ ଶେଷରେ ବୃଦ୍ଧାଶ୍ରମରେ ରହିବାକୁ ପଡ଼ିଥିଲା। ଏହାପରେ ରବି କାନ୍ତ ଗୁପ୍ତା ୨୦୨୨ ଜୁନ୍‌ ୫ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରି ନିଜ ପୁଅଙ୍କୁ ଘରୁ ବେଦଖଲ କରିବାକୁ ଦାବି କରିଥିଲେ। କାରଣ ରବିକାନ୍ତ ଗୁପ୍ତାଙ୍କର ଅଭିଯୋଗ ଥିଲା ଯେ, ତାଙ୍କ ପୁଅ ତାଙ୍କ ମାଆଙ୍କୁ ଘରେ ରହିବାକୁ ଦେଇନଥିଲେ ଏବଂ ଘରେ ଅଶାନ୍ତି ସୃଷ୍ଟି କରୁଥିଲେ। ଅଭିଯୋଗ ପରେ ଉପଜିଲ୍ଲାପାଳ ୨୦୨୨ ନଭେମ୍ବର ୧୫ରେ ପୁଅଙ୍କୁ ବେଦଖଲ କରିବାକୁ ଆଦେଶ ହୋଇଥିଲା। ପରେ ୨୦୨୩ ଅଗଷ୍ଟ ୯ରେ ଜିଲ୍ଲାପାଳ ମଧ୍ୟ ଏହି ଆଦେଶକୁ ବଜାୟ ରଖି ରବି କାନ୍ତଙ୍କ ପୁଅ ଓ ବୋହୁଙ୍କୁ ଘର ଖାଲି କରିବାକୁ କହିଥିଲେ।

କିନ୍ତୁ ପୁଅ ଓ ବୋହୁ ଏହି ଆଦେଶକୁ ଆଲ୍ଲାହାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ କହିଥିଲେ ଯେ ୨୦୦୭ର ସିନିୟର ସିଟିଜେନ୍ସ ଆକ୍ଟ ଅଧୀନରେ ଅଧିକାରୀମାନଙ୍କୁ ଏଭଳି ବେଦଖଲ ଆଦେଶ ଦେବାର କ୍ଷମତା ନାହିଁ। ତେଣୁ ହାଇକୋର୍ଟ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ବେଦଖଲ ଆଦେଶକୁ ଖାରଜ କରିଥିଲେ।
ତେବେ ଏହି ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ଖାରଜ କରି କହିଛନ୍ତି ଯେ, ବୃଦ୍ଧଙ୍କ ଭରଣପୋଷଣ ଓ ସୁରକ୍ଷା ପାଇଁ ଆବଶ୍ୟକ ହେଲେ ଟ୍ରିବ୍ୟୁନାଲ୍‌ ବେଦଖଲ ଆଦେଶ ଦେଇପାରିବ।