ଓଡ଼ିଆରେ ଉପଲବ୍ଧ ହେବ +୨ ବିଜ୍ଞାନ ବହି
ଏଣିକି ଓଡ଼ିଆରେ ପଢ଼ାହେବ ଯୁକ୍ତ ଦୁଇ ବିଜ୍ଞାନ । ଇଂରାଜୀ ଭାଷାର ଭୟ ହେବ ଦୂର । ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ +୨ ବା ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ଉପଲବ୍ଧ ହେବ । କେବଳ ଓଡ଼ିଆ ଭାଷାରେ ବିଜ୍ଞାନ ପଢ଼ିବେନି, ପରୀକ୍ଷା ବି ଦେଇପାରିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ‘ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା’ର ମିଳିତ ପ୍ରୟାସରେ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଏହାଦ୍ବାରା ପାଖାପାଖି ୨ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଇନଷ୍ଟିଚ୍ୟୁଟ ଅଫ ଓଡ଼ିଆ ଷ୍ଟଡିଜ୍ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ଓଡ଼ିଶା ସରକାରଙ୍କ ଦ୍ବାରା ମୁଦ୍ରିତ ଏହି ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଓ ଗଣିତ ବହି ସମସ୍ତ ସରକାରୀ ଓ ବେସରକାରୀ କଲେଜରେ ଉପଲବ୍ଧ ହେବ । ଏହା ପୂର୍ବରୁ ବିଜ୍ଞାନ ଛାତ୍ରଛାତ୍ରୀ କେବଳ ଇଂରାଜୀ ମାଧ୍ୟମରେ ପଢ଼ିବାକୁ ବାଧ୍ୟ ହେଉଥିଲେ । ସଂସ୍ଥାର ସମ୍ପାଦକ ଡକ୍ଟର ସୁବ୍ରତ କୁମାର ପୃଷ୍ଟି କହିଛନ୍ତି ଯେ, ମାତୃଭାଷାରେ ବିଜ୍ଞାନ ପଢ଼ିଲେ ପିଲାଙ୍କ ବିଷୟବସ୍ତୁ ବୁଝିବା ସହଜ ହେବ ଏବଂ ସେମାନେ JEE, NEET ଭଳି ଜାତୀୟ ସ୍ତରର ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରିବେ । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପାଠ୍ୟକ୍ରମ ଅନୁଯାୟୀ ପ୍ରସ୍ତୁତ ହୋଇଛି ଏହି ବହି ।ପ୍ରତିବର୍ଷ ପ୍ରାୟ ସାଢ଼େ ୫ ଲକ୍ଷ ପିଲା ଓଡ଼ିଆ ମାଧ୍ୟମରେ ମାଟ୍ରିକ୍ ପାସ୍ କରୁଥିଲେ ମଧ୍ୟ ଇଂରାଜୀ ଭୟରେ ବିଜ୍ଞାନ ପଢୁନଥିଲେ, ଯାହାଫଳରେ +୨ ବିଜ୍ଞାନରେ ପ୍ରାୟ ୮୦ ହଜାର ସିଟ୍ ଖାଲି ପଡ଼ୁଥିଲା ।