କକ୍ରୋଚ୍ ପାର୍ଟି ପରେ ଏବେ ‘ଇସ୍କ କରୋ ପାର୍ଟି’: ସୁପ୍ରିମକୋର୍ଟର ପୂର୍ବତନ ଜଜ୍‌ କରିଛନ୍ତି ଗଠନ

ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ମାର୍କଣ୍ଡେୟ କାଟଜୁ ଏକ ନୂତନ ଦଳ ଗଠନ କରିବା ନେଇ ଘୋଷଣା କରିଛନ୍ତି । ଏହି ନୂଆ ଦଳର ନାମ ସେ ‘ଇସ୍କ କରୋ ପାର୍ଟି’ ରଖିଛନ୍ତି । କାଟଜୁଙ୍କ ଅନୁସାରେ, ‘ଇସ୍କ କରୋ ପାର୍ଟି’ (IKP) ଭାରତ ସାମ୍ନା କରୁଥିବା ଗମ୍ଭୀର ସମସ୍ୟାର ସମାଧାନ ପାଇଁ ଗମ୍ଭୀର ପ୍ରୟାସ କରିବ। ଏହା ବ୍ୟତୀତ, କାଟଜୁ ତାଙ୍କ ନୂତନ ଦଳରେ ଯୋଗଦେବା ପାଇଁ TMC ସାଂସଦ ମହୁଆ ମୋଇତ୍ରାଙ୍କୁ ନିମନ୍ତ୍ରଣ କରିଛନ୍ତି।
ଏକ ଫେସବୁକ ପୋଷ୍ଟରେ, କାଟଜୁ CJPକୁ କଡ଼ା ସମାଲୋଚନା କରିଛନ୍ତି ଏବଂ ଏହାର ପ୍ରତିଷ୍ଠାତା ଅଭିଜିତ୍‌ ଦୀପକେଙ୍କୁ ମୂର୍ଖ ବୋଲି କହିଛନ୍ତି। ଏହା ଉଲ୍ଲେଖନୀୟ ଯେ, ଅଭିଜିତ୍‌ ଜାତୀୟ ପରୀକ୍ଷା ସଂସ୍ଥା (NTA) ଦ୍ୱାରା ପରିଚାଳିତ NEET ପରୀକ୍ଷାରେ ଅନିୟମିତତା ଅଭିଯୋଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଛନ୍ତି।ଜଷ୍ଟିସ କାଟଜୁ ସ୍ବୀକାର କରିଛନ୍ତି ଯେ, ଲୋକମାନେ ଏହି ଦଳକୁ ଏକ ମଜାରେ ନେଇପାରନ୍ତି। କିନ୍ତୁ ଏହା ଏକ ସମ୍ପୂର୍ଣ୍ଣ ଭୁଲ ଧାରଣା। ଭାରତରେ ଦାରିଦ୍ର୍ୟ, ଶିଶୁ କୁପୋଷଣ ଏବଂ ବେକାରୀ ଭଳି ସମସ୍ୟାଗୁଡ଼ିକର ସମାଧାନ ଲୋକଙ୍କ ମଧ୍ୟରେ ‘ଏକତା’ ମାଧ୍ୟମରେ କରାଯାଇପାରିବ।ଦଳର ନାମକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱକୁ ଦୂର କରି କାଟଜୁ କହିଛନ୍ତି ଯେ, ଲୋକମାନେ ଏହାକୁ କେବଳ ପୁଅ-ଝିଅଙ୍କ ମଧ୍ୟରେ ଥିବା ପ୍ରେମ ବା ଭାଲେଣ୍ଟାଇନ୍ସ ଡେ’ ସହ ଯୋଡ଼ି ଭାବିବା ଭୁଲ । ତାଙ୍କ କହିବା ଅନୁଯାୟୀ, ‘ଇସ୍କ’ର ଅର୍ଥ ହେଉଛି ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଦେଶର ସମସ୍ତ ଲୋକଙ୍କ ମଧ୍ୟରେ ଏକତା ଓ ଭଲପାଇବା ।ବର୍ତ୍ତମାନର ନେତାମାନେ କେବଳ କ୍ଷମତା ଲୋଭରେ ଅଛନ୍ତି ଏବଂ ସାଧାରଣ ଲୋକଙ୍କ କଥା ଚିନ୍ତା କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।