କେନ୍ଦ୍ର କ୍ୟାବିନେଟ୍ରେ ବଡ଼ ନିଷ୍ପତ୍ତି, ୫ ବର୍ଷ ବଢିଲା ପିଏମ୍ କିଷାନ ଯୋଜନା
ଦେଶର କୋଟି କୋଟି ଚାଷୀଙ୍କ ପାଇଁ ବଡ଼ ଖବର। ଆଉ ୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପିଏମ୍-କିଷାନ ଯୋଜନା। ଏନେଇ କେନ୍ଦ୍ର କ୍ୟାବିନେଟ୍ ମୋହର ମାରିଛି।କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନା ଚଳାଇଛନ୍ତି, ଯାହା ଲକ୍ଷ ଲକ୍ଷ ଚାଷୀଙ୍କୁ ସିଧାସଳଖ ଲାଭ ପହଞ୍ଚାଉଛି। ଆଜି ମଧ୍ୟ ଦେଶର ଅନେକ ଚାଷୀ ଆର୍ଥିକ ଭାବରେ ଅସୁରକ୍ଷିତ ଅଛନ୍ତି। ତେଣୁ ସେମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ, ଚାଷୀମାନେ ପ୍ରତିବର୍ଷ ୬୦୦୦ ଅନୁଦାନ ପାଆନ୍ତି। ଏହା ତିନୋଟି କିସ୍ତିରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପିଏମ୍-କିଷାନ ଯୋଜନାକୁ ୨୦୩୦-୩୧ ପର୍ଯ୍ୟନ୍ତ ବଢ଼ାଇବାକୁ ଅନୁମୋଦନ ମିଳିଛି। ଏହି ବିସ୍ତାର ପାଇଁ ସରକାର ୩ ଲକ୍ଷ ୧୫ ହଜାର କୋଟି ଟଙ୍କା ବ୍ୟୟ କରିବେ।