ଫୁଲୁଛି ହୀରାକୁଦ ଜଳଭଣ୍ଡାର ।ହୀରାକୁଦରୁ ୧୨ ଗେଟ୍ରେ ବହୁଛି ବନ୍ୟାଜଳ
ଫୁଲୁଛି ହୀରାକୁଦ ଜଳଭଣ୍ଡାର ।ଉପର ମୁଣ୍ଡରେ ଲଗାଣ ବର୍ଷା ଓ ଜଳ ପ୍ରବେଶ ବୃଦ୍ଧି ପାଇବା ପରେ ଡ୍ୟାମରୁ ଆଉ ୧୦ଟି ଗେଟ୍ ଖୋଲିଛି ହୀରାକୁଦ କର୍ତ୍ତୃପକ୍ଷ । ବର୍ତ୍ତମାନ ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ତେବେ ପୂର୍ବରୁ ଦେଖାଦେଇଥିବା ବନ୍ୟା ପରିସ୍ଥିତିରେ ଏବେ ଧୀରେ ଧୀରେ ସୁଧାର ଆସୁଛି । କଟକ ମୁଣ୍ଡୁଳି ସମେତ ବିଭିନ୍ନ ସ୍ଥାନରେ ମହାନଦୀର ଜଳ ପ୍ରବାହ ସ୍ଥିତି ନିରୀକ୍ଷଣ କରାଯାଉଛି । ଜଳ ସମ୍ପଦ ବିଭାଗ ପକ୍ଷରୁ ଡ୍ୟାମ ଓ ନଦୀର ସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି । ୫ ଜିଲ୍ଲାକୁ ହାଇଆଲର୍ଟ। ଲଗାଣ ବର୍ଷା ଏବଂ ମହାନଦୀର ଉପରମୁଣ୍ଡ ଅଞ୍ଚଳରୁ ବଢ଼ିଥିବା ଜଳପ୍ରବାହ ଯୋଗୁଁ ତଳିଆ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଆଜି ସକାଳେ କଟକ ନିକଟସ୍ଥ ମୁଣ୍ଡଳୀ ବ୍ୟାରେଜରେ ଜଳପ୍ରବାହ ୮ରୁ ୯ ଲକ୍ଷ କ୍ୟୁସେକ୍ ମଧ୍ୟରେ ପହଞ୍ଚିବା ପରେ ପ୍ରଶାସନ ସତର୍କତା ବଢ଼ାଇଛି । ଗଭୀର ଅବପାତ ପରେ ତେଲ, ଇବ୍ ଓ ଜିରା ନଦୀରୁ ବଢ଼ିଥିବା ଜଳପ୍ରବାହ ମହାନଦୀର ଜଳସ୍ତରକୁ ଆହୁରି ବଢ଼ାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାକୁ ହାଇଆଲର୍ଟରେ ରଖାଯାଇଛି ।
ବାଙ୍କୀ, ଆଠଗଡ଼, ବଡ଼ମ୍ବା ଓ ତିର୍ତ୍ତୋଲ ଅଞ୍ଚଳର ତଳିଆ ଗାଁଗୁଡ଼ିକରେ ପାଣି ରାସ୍ତା ଓ ଚାଷଜମିକୁ ପ୍ରବେଶ କରିଛି । ଲଗାଣ ବର୍ଷା ଜନିତ ବନ୍ୟାରେ ରାଜ୍ୟର ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ୧.୭୬ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି।