ରଥ ଉପରେ ଅଣସେବାୟତଙ୍କ ପ୍ରବେଶ: ସିଂହଦ୍ୱାର ଥାନାରେ ଏତଲା

ରଥ ଉପରେ ଅଣ ସେବାୟତଙ୍କ ବେଆଇନ ପ୍ରବେଶ ଘଟଣାକୁ ନେଇ କଡା ଆକ୍ସନ ନେଲା ଶ୍ରୀମନ୍ଦିର ପ୍ରଶାସନ । ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଉପରେ ଜଣେ ଅନଧିକୃତ ବ୍ୟକ୍ତି ଚଢିଥିବା ଅଭିଯୋଗରେ ପୁରୀ ସିଂହଦ୍ୱାର ଥାନାରେ ଦାୟର ହୋଇଛି ଏତଲା ।ନିୟମ ଅନୁସାରେ ରଥ ଉପରେ କେବଳ ନିର୍ଦ୍ଦିଷ୍ଟ ସେବାୟତମାନେ ରହିପାରିବେ । ଅନ୍ୟ କୌଣସି ଅନଧିକୃତ ବ୍ୟକ୍ତିଙ୍କ ରଥ ଉପରକୁ ଚଢ଼ିବା ସମ୍ପୂର୍ଣ୍ଣ ନିଷିଦ୍ଧ । ତେବେ ରଥଯାତ୍ରା ସମୟରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଉପରେ ଜଣେ ବ୍ୟକ୍ତି ଛିଡ଼ା ହୋଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।ସିଂହଦ୍ୱାର ଥାନାରେ ଦିଆଯାଇଥିବା ଏତଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଖୋଜିବା ସହ ତାଙ୍କ ବିରୋଧରେ ଆଇନ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢୀ କହିଛନ୍ତି ଯେ, ରଥ ଉପରେ କୌଣସି ବିଶୃଙ୍ଖଳିତ କିମ୍ବା ବେଆଇନ କାର୍ଯ୍ୟକଳାପକୁ ସହ୍ୟ କରାଯିବ ନାହିଁ ।