ଗଣିଆରେ ମନରେଗା ଜନଶୁଣାଣି ଏକ ପ୍ରହସନ।ଅଧିକାଂଶ ଜବ୍କାର୍ଡଧାରୀ ଅନ୍ଧାରରେ, ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ
ଗଣିଆ: ( ବିଶ୍ୱରଂଜନ ସେଠି )ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ପାଇଁ ପ୍ରଶାସନ ପକ୍ଷରୁ କରାଯାଉଥିବା ସାମାଜିକ ସମୀକ୍ଷା ତଥା ଜନଶୁଣାଣି ଏବେ କେବଳ ଏକ ଔପଚାରିକତାରେ ସୀମିତ ରହିଛି। ଗଣିଆ ବ୍ଲକର ଆଠ ଗୋଟି ପଂଚାୟତରେ ଚାଲିଥିବା ମନରେଗା ଜନଶୁଣାଣି ପ୍ରକ୍ରିୟା ଏବେ ସମ୍ପୂର୍ଣ୍ଣ ରୂପେ ଏକ ପ୍ରହସନ ପାଲଟିଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ଅଭିଯୋଗ ଅନୁଯାୟୀ, ଜନଶୁଣାଣି ସମ୍ପର୍କରେ ପ୍ରକୃତ ହିତାଧିକାରୀ ତଥା ଜବ୍କାର୍ଡଧାରୀଙ୍କ ପାଖରେ କୌଣସି ସୂଚନା ପହଞ୍ଚାଯାଉନାହିଁ। ଗ୍ରାମରେ ଡାକବାଜି ଯନ୍ତ୍ର କିମ୍ବା ଡିଣ୍ଡିମ ପିଟି ପ୍ରଚାର ପ୍ରସାର କରାଯିବାର ନିୟମ ଥିଲେ ସୁଦ୍ଧା ଅଧିକାରୀମାନେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ଫଳରେ ଗ୍ରାମର ଅଧିକାଂଶ ଯୋଗ୍ୟ ଶ୍ରମିକ ଜନଶୁଣାଣି ସମ୍ପର୍କରେ କିଛି ଜାଣିପାରୁ ନାହାନ୍ତି। ପ୍ରଶାସନିକ ଖାମଖିଆଲି ମନୋଭାବ କାରଣରୁ ମାତ୍ର କିଛି ହାତଗଣତି ଲୋକଙ୍କୁ ଏକାଠି କରି କାଗଜପତ୍ରରେ ଜନଶୁଣାଣି ଶେଷ କରାଯାଉଛି। କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କର ଜବ୍କାର୍ଡଧାରୀଙ୍କ ପ୍ରତି କୌଣସି ଆନ୍ତରିକତା ନ ଥିବା ବେଳେ ଶ୍ରମିକମାନଙ୍କ ବାକିଆ ମଜୁରି, କାମ ଯୋଗାଣରେ ଅନିୟମିତତା ଏବଂ ଦୁର୍ନୀତି ସମ୍ପର୍କିତ ଅଭିଯୋଗକୁ ସମ୍ପୂର୍ଣ୍ଣ ଚାପି ଦିଆଯାଉଛି। ଗ୍ରାମସଭା ଓ ଜନଶୁଣାଣିରେ ସ୍ୱଚ୍ଛତା ରହୁ ନ ଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଉଦ୍ବେଗ ପ୍ରକାଶ ପାଇଛି। ଯୋଜନାର ପ୍ରକୃତ ଉଦ୍ଦେଶ୍ୟ ସାଧନ ପାଇଁ ତୁରନ୍ତ ଉଚ୍ଚପଦସ୍ଥ ଅଧିକାରୀ ଏଥିରେ ହସ୍ତକ୍ଷେପ କରି ସମସ୍ତ ଜବ୍କାର୍ଡଧାରୀଙ୍କ ଉପସ୍ଥିତିରେ ସ୍ୱଚ୍ଛ ଜନଶୁଣାଣି କରିବାକୁ ସାଧାରଣ ରେ ଦାବି ହେଉଅଛି । ଏଇ କାଯ୍ୟକ୍ରମରେ ବିଡ଼ିଓ ଲାବଣ୍ୟନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସାମାଜିକ କାଯ୍ୟକ୍ରମ ଅଧିକାରୀ ଜିତେନ୍ଦ୍ର କୁମାର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ସାମାଜିକ ସମୀକ୍ଷକ ବିଜୟ କୁମାର ବାଲିଆରସିଂହ ବ୍ଲକ ସାମାଜିକ ଅତିରିକ୍ତ ପୋଗ୍ରାମ ଅଫିସର ବିଭୁ ପ୍ରସାଦ ସାଥୁଆ, ଓ ବ୍ଲକ ଉପାଧ୍ୟାକ୍ଷା ରାଜକିଶୋର ସାହୁ ଓ ବ୍ଲକ କନିଷ୍ଠ ଯନ୍ତ୍ରୀ ନେତ୍ରରଞ୍ଜନ ମିଶ୍ରଙ୍କ ସମେତ ବନ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ ।