୧୬.୨ କୋଟିରେ ବିକ୍ରି ହେଲା ଗାନ୍ଧିଜୀଙ୍କ ଚିଠି

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ କେତେକ ହାତଲେଖା ଚିଠି, ତାଙ୍କ ବ୍ୟବହୃତ ଚରଖା, ଭଗବତ୍ ଗୀତା ଓ ଅନ୍ୟାନ୍ୟ କେତେକ ସରଞ୍ଜାମ ଶୁକ୍ରବାର ପ୍ରାୟ ୧୬.୨ କୋଟିରେ ବିକ୍ରି ହୋଇଛି । ଅକ୍ସନ ହାଉସ୍ ସାଫ୍ରୋନାର୍ଟ ପକ୍ଷରୁ ଏହି ନିଲାମ କରାଯାଇଥିଲା । ବିକ୍ରି ହୋଇଥିବା ପାଣ୍ଡୁଲିପିରେ ସତ୍ୟ, ଅହିଂସା, ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ, ନିର୍ଭୀକତା, ସର୍ବଧର୍ମ ସମଭାବ, ଅସ୍ପୃଶ୍ୟତା ନିବାରଣ, ପ୍ରାର୍ଥନା, ରାମନାମ, ସେବା, ସ୍ବରାଜ, ନୈତିକ ଦାୟିତ୍ୱ ଏବଂ ଆତ୍ମସାକ୍ଷାତ୍‌କାର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଗାନ୍ଧିଜୀଙ୍କ ଗଭୀର ଚିନ୍ତନ ରହିଛି। ଈଶ୍ୱର ଏବଂ ଶ୍ରୀମଦ୍‌ ଭଗବଦ ଗୀତା ସମ୍ପର୍କିତ ଗାନ୍ଧିଜୀଙ୍କ ଲିଖିତ ୩ଟି ଚିଠି ଓ ପାଣ୍ଡୁଲିପିର ସେଟ୍‌ ‘ମେସେଜ ଅନ୍‌ ଗଡ୍‌’ ୧.୬୮ କୋଟି ଟଙ୍କାରେ ବିକ୍ରି ହୋଇଛି। ଗାନ୍ଧିଜୀ ବ୍ୟବହାର କରୁଥିବା ବ୍ୟକ୍ତିଗତ ‘ପେଟି ଚରଖା’ ଏବଂ ସୂତାକଟାର ଆଧ୍ୟାତ୍ମିକ ନିୟମାବଳୀ ସମ୍ପର୍କିତ ଦୁଇଟି ଚିଠି ୧.୦୨ କୋଟି ଟଙ୍କାରେ ନିଲାମ ହୋଇଛି। ଲେଖୁଥିବା ସମୟର ଗାନ୍ଧିଜୀଙ୍କ ଏକ ଫଟୋ ୭୮ ଲକ୍ଷ ଟଙ୍କାରେ ଏବଂ ଅର୍ଥନୈତିକ ସ୍ବାଧୀନତା ଉପରେ ଆଧାରିତ ଚିଠି, ଟେଲିଗ୍ରାମ ଓ ପୋଷ୍ଟକାର୍ଡର ସେଟ୍‌ ୫୭.୬ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି।ଗାନ୍ଧିଜୀଙ୍କ ଏହି ଚିଠି ଯେତିକି ଟଙ୍କାରେ ନିଲାମ ହୋଇଛି, ତାହା ଏକ ରେକର୍ଡ । ପୂର୍ବରୁ କୌଣସି ଐତିହାସିକ ସମାଗ୍ରୀ ଭାରତରେ ଏତେ ଟଙ୍କାରେ ନିଲାମ ହୋଇନାହିଁ ବୋଲି ନିଲାମକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି । ତେବେ କେଉଁମାନେ ଏହି ମୂଲ୍ୟବାନ ସାମଗ୍ରୀର କ୍ରେତା ସେ ସମ୍ପର୍କରେ କୌଣସି ତଥ୍ୟ ଦିଆଯାଇନାହିଁ ।