ଗିରଫ ଭୟରେ ଅନ୍ଲାଇନ୍ ଡ୍ରାଇଭର ଛାନିଆ,କ୍ଷମା ମାଗିଲେ ଅନଲାଇନ୍ ଅଟୋ ଚାଳକ ସଙ୍ଘ ସଭାପତି
ରାଜଧାନୀରେ ଓଲା-ଉବେର ଚଳାଚଳ ପ୍ରାୟତଃ ବନ୍ଦ । ଆପରେ ଖୋଜିଲେ, ଅଳ୍ପ କିଛି ଅଟୋ କି ଟ୍ୟାକ୍ସି ମିଳୁଛି । କିନ୍ତୁ ଦେଢ଼ଗୁଣା ଦର କଷୁଛନ୍ତି ଏହି ଅନଲାଇନ୍ ପରିବହନ ସଂସ୍ଥା । କେବଳ ଅନଲାଇନ୍ କାହିଁକି, ଅଫଲାଇନରେ ଗଲେ ବି ଯାତ୍ରୀଙ୍କୁ ଶୋଷୁଛନ୍ତି ଡ୍ରାଇଭର । ବିମାନ ବନ୍ଦର, ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡରେ ଯାତ୍ରୀମାନେ ଢ଼େର ହଇରାଣ ହେଉଛନ୍ତି । ଏକ ଘରୋଇ ସଂସ୍ଥାର ପରିସଂଖ୍ୟନ ମୁତାବକ, ରାଜଧାନୀରେ ଯାତ୍ରୀଙ୍କୁ ବୋହିବାରେ ଲାଗିଛି ପ୍ରାୟ ୪୫ହଜର ଅଟୋରିକ୍ସା । ସେଥିମଧ୍ୟରୁ ପାଖାପାଖି ୩୫ହଜାର ଅନଲାଇନ୍ ଏଗ୍ରିଗେଟର ପଲିସିରେ ଚଳାଚଳ କରୁଛି । ଅର୍ଥାତ୍, ଓଲା-ଉବେର ଭଳି ସଂସ୍ଥା ସହ ଏହି ଅଟୋରିକ୍ସା ଅନୁବନ୍ଧିତ । ବାକି ୧୦ ହଜାର ଅଟୋ ଅଫଲାଇନ୍ ମୋଡ଼ରେ ଚାଲୁଛି । ଏହାବାଦ୍ ୧୦ ହଜାରରୁ ଅଧିକ ଟାକ୍ସି ପଞ୍ଜିକୃତ ହୋଇଛି । ସେହିଭଳି ପରିବହନ ବିଭାଗ ତଥ୍ୟ ମୁତାବକ, ୬୦୦ ବାଇକ୍ ଅନଲାଇନ ପ୍ଲାଟଫର୍ମରେ ଚାଲୁଛି । କିନ୍ତୁ ଏହାର ଦୁଇଗୁଣା ଅଧିକ ବାଇକ୍ ଚାଳକ ବିନା ପଞ୍ଜିକରଣରେ ଯାତ୍ରୀଙ୍କୁ ବୁହାଉଛନ୍ତି । ଅନ୍ୟପଟେ ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ମୁହଁ ଖୋଲିଛନ୍ତି ଅନଲାଇନ ଅଟୋ ସଂଘର ସଭାପତି । ସଙ୍ଘ ସଭାପତି ଦୀନବନ୍ଧୁ ନାୟକ ଏକ ଭିଡିଓ ବାର୍ତ୍ତା ମାଧ୍ୟରେ ପ୍ରତିକ୍ରିୟା ରଖିବା ସହ ଜନ ସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ।
ସେ କହିଛନ୍ତି ଯେ, ସେଦିନର ଅଘଟଣ ପାଇଁ ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଜନତାଙ୍କ ଅସୁବିଧା ପାଇଁ ସେ ଦୁଃଖିତ । ଆନ୍ଦୋଳନରେ କୌଣସି ରାଜନୀତି ନାହିଁ । କିନ୍ତୁ ୧୪ ମିନିଟର ଭିଡିଓ ବାର୍ତ୍ତାରେ ଡ୍ରାଇଭର ମାନଙ୍କ ସପକ୍ଷରେ ମଧ୍ୟ ମତ ଦେଇଛନ୍ତି। ନିଜର ହକ୍ ପୂରଣ ହେଉନଥିବାରୁ ସେ ଆନ୍ଦୋଳନ ପନ୍ଥା ଆପଣାଇଥିବା ଭିଡିଓ ବାର୍ତ୍ତାରେ ପ୍ରକାଶ କରିଛନ୍ତି ।