ଟ୍ରାଫିକ୍ ପୋଲିସ ନଥିଲେ ବି କ୍ୟାମେରା କାଟିବ ସ୍ୱୟଂଚାଳିତ ଚାଲାଣ

ଡିସେମ୍ବର ୧ ତାରିଖରୁ ଯାଜପୁର ଓ କେନ୍ଦୁଝର ଜିଲ୍ଲାର ଦୈତାରୀ-ଚଣ୍ଡିଖୋଲ ଜାତୀୟ ରାଜପଥରେ ଲାଗୁ ହେବ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବା IEMS । ଅତ୍ୟାଧୁନିକ କ୍ୟାମେରା ଓ ଟେକ୍ନୋଲୋଜି ମାଧ୍ୟମରେ ଚାରି ପ୍ରକାର ଟ୍ରାଫିକ୍ ନିୟମ ଉଲ୍ଲଂଘନ ଉପରେ ରଖାଯିବ ନଜର ।ଦ୍ରୁତଗତିରେ ଗାଡ଼ି ଚଳାଇବା, ଦୁଇଚକିଆ ଯାନରେ ତିନି ଜଣ ବସି ଯାତ୍ରା କରିବା, ଚାଳକ କିମ୍ବା ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ନପିନ୍ଧିବା ଏବଂ ବିପରୀତ ଦିଗରେ ଗାଡ଼ି ଚଳାଇବା କ୍ଷେତ୍ରରେ ସ୍ୱୟଂଚାଳିତ ଭାବେ ଇ-ଚାଲାଣ ଜାରିହେବ ।ଦୈତାରୀ-ଚଣ୍ଡିଖୋଲ ରାଜପଥରେ ବିଭିନ୍ନ ବର୍ଗର ଯାନବାହନ ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସର୍ବାଧିକ ବେଗ ସୀମା କଡ଼ାକଡ଼ି ଭାବେ ଲାଗୁ ରହିବ।ତେବେ ଚାଲାଣ କଟିଲେ କେମିତି ଜାଣିବେ ଗାଡ଼ି ମାଲିକ? ଏହି ବ୍ୟବସ୍ଥାରେ ପ୍ରତ୍ୟେକ ଇ-ଚାଲାଣ ସହ ନିୟମ ଉଲ୍ଲଂଘନର ସ୍ପଷ୍ଟ ଫଟୋ କିମ୍ବା ଭିଡିଓ ପ୍ରମାଣ ରହିବ । ଏହା ସହିତ ଗାଡ଼ିର ପଞ୍ଜୀକରଣ ନମ୍ବର, ଉଲ୍ଲଂଘନ ହୋଇଥିବା ତାରିଖ ଓ ସମୟ, ଜିପିଏସ୍ ଲୋକେସନ୍ ଏବଂ ଗାଡ଼ିର ବେଗ ସମ୍ପର୍କିତ ସମସ୍ତ ତଥ୍ୟ ଉଲ୍ଲେଖ ରହିବ । ଫଳରେ କେଉଁ ସ୍ଥାନରେ ଏବଂ କେଉଁ ନିୟମ ଭାଙ୍ଗିବା ଯୋଗୁଁ ଚାଲାଣ କଟିଛି, ତାହା ଗାଡ଼ି ମାଲିକ ଜାଣିପାରିବେ ।