ନିଜ ମା’ କୁ ହତ୍ୟା କରିବାକୁ ୭ ଲକ୍ଷର ସୁପାରୀ ଦେଇଥିବା ଝିଅ ଆୟୁଷୀ ଶର୍ମା ଗିରଫ
ରାଜସ୍ଥାନ ରାଜଧାନୀ ଜୟପୁରରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ନିଜ ମା’ କୁ ହତ୍ୟା କରିବାକୁ ୭ ଲକ୍ଷର ସୁପାରୀ ଦେଇଥିବା ଝିଅ ଆୟୁଷୀ ଶର୍ମାର କଳା କାରନାମାର ପର୍ଦ୍ଦାଫାଶ ହୋଇଛି । ଗତ ଜୁଲାଇ ୩ ତାରିଖରେ କୋର୍ଟ କ୍ଲର୍କ ଭାବେ କାର୍ଯ୍ୟରତ ୪୫ ବର୍ଷୀୟା ମହିଳା ନୀରଜ ଶର୍ମା ପୁଅଙ୍କୁ କୋଚିଂରେ ଛାଡ଼ି ଘରକୁ ଫେରୁଥିବା ବେଳେ ଦ୍ରୁତଗତିରେ ଆସିଥିବା ଏକ ସ୍କର୍ପିଓ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ପ୍ରଥମେ ଏହାକୁ ସାଧାରଣ ସଡ଼କ ଦୁର୍ଘଟଣା ବୋଲି ଧରାଯାଇଥିଲା। ହେଲେ ଆଖପାଖର ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ସାମ୍ନାକୁ ଆସିଥିଲା ଏକ ଭୟଙ୍କର ସତ। ପୋଲିସ ତଦନ୍ତରୁ ଜଣାପଡ଼ିଲା, ଦୁର୍ଘଟଣା ନୁହେଁ ବରଂ ଏହା ଥିଲା ଯୋଜନାବଦ୍ଧ ହତ୍ୟା। ଅଭିଯୋଗ ଅନୁସାରେ, ସ୍ୱାମୀଙ୍କ ମୃତ୍ୟୁ ପରେ ନୀରଜ ଶର୍ମା ଅନୁକମ୍ପାମୂଳକ ଭାବେ ସରକାରୀ ଚାକିରି ପାଇଥିଲେ। ସେହି ଚାକିରି ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି ହାତେଇବା ପାଇଁ ୨୩ ବର୍ଷୀୟା ଝିଅ ଆୟୁଷୀ ଶର୍ମା ନିଜ ପିଉସା ଓ ସମ୍ପର୍କୀୟଙ୍କ ସହ ମିଶି ହତ୍ୟା ଷଡ଼ଯନ୍ତ୍ର ରଚିଥିଲା।ମା’ ନୀରଜ ଶର୍ମାଙ୍କୁ ଯେକୌଣସି ପରିସ୍ଥିତିରେ ବି ହତ୍ୟା କରିବା ପାଇଁ ଆୟୁଷୀ ଶର୍ମା ସୁପାରୀ କିଲରମାନଙ୍କୁ କହିଥିଲା । ପ୍ରାୟ ମାସେ ପୂର୍ବରୁ ଥାର୍ ଗାଡ଼ି ଚଢ଼ାଇ ମାରିବାକୁ ଚେଷ୍ଟା କରାଯାଇଥିଲା ହେଲେ ତାହା ବିଫଳ ହୋଇଥିଲା । ଏହାପରେ ଜୁନ୍ ୨୭ ରେ ମା’ ଏବଂ ଭାଇକୁ ଜୀଅନ୍ତା ଜାଳିଦେବାକୁ ପ୍ଲାନ୍ ପ୍ରସ୍ତୁତ ହୋଇଥିଲା । ଯୋଜନା ମୁତାବକ ଆୟୁଷୀ ନିଜେ ଘରୁ ବାହାରି ଚାଲିଯାଇଥିଲା । ଏହାପରେ ଅଭିଯୁକ୍ତ ଆକାଶ ଆୟୁଷୀଙ୍କ ଘର ଭିତରକୁ ନିଆଁ ଜଳୁଥିବା ଜିନିଷ ଫିଙ୍ଗିଥିଲା, ଯେପରି ନିଆଁ ଲାଗି ମା’ଓ ଭାଇ ଜୀଅନ୍ତା ଜଳି ମରିଯିବେ । ସିସିଟିଭି ଫୁଟେଜ୍ ଅନୁସାରେ, ଜୁନ୍ ୨୭ ଦ୍ୱିପହର ପ୍ରାୟ ୧ଟା ସମୟରେ ଅଭିଯୁକ୍ତ ଆକାଶ ପ୍ରଥମେ ଆୟୁଷୀଙ୍କ ଘର ବାହାରୁ ଏକ ନଡ଼ିଆ ଫିଙ୍ଗିଥିଲା । ସେହି ନଡ଼ିଆରେ କପଡ଼ା ଏବଂ ନାଲି ସୂତା ଗୁଡ଼ା ହୋଇଥିଲା । ଏହାପରେ ଜଳନ୍ତା କପଡ଼ାର ଗୁଳା ଘର ଭିତରକୁ ଫିଙ୍ଗାଯାଇଥିଲା । ତେବେ ସେହି ଜଳନ୍ତା କପଡ଼ା ଗୁଡ଼ିକ ଘରର ପାହାଚ ଉପରେ ପଡ଼ିଥିଲା । ଘରେ ଥିବା ଆୟୁଷୀଙ୍କ ଭାଇ ସେହି ଜଳନ୍ତା କପଡ଼ାର ମୋବାଇଲ୍ ଭିଡିଓ ରେକର୍ଡିଂ କରିନେଇଥିଲେ, ଯାହାକୁ ଏବେ ପୁଲିସ ଜବତ କରିଛି ।ଦୁଇ ଦୁଇ ଥର ହତ୍ୟା ଉଦ୍ୟମ ବିଫଳ ହେବା ପରେ, ତୃତୀୟ ପ୍ରୟାସରେ ମା’ ଙ୍କୁ ହତ୍ୟା କରାଯାଇଥିଲା । ୪ ଜୁଲାଇ ସନ୍ଧ୍ୟାରେ ମା’ ନୀରଜ ଶର୍ମା ଯେତେବେଳେ ନିଜ ପୁଅକୁ ଟ୍ୟୁସନ ଛାଡ଼ି ଫେରୁଥିଲେ, ସେତେବେଳେ ଅଭିଯୁକ୍ତ ମୋହିତ ଶର୍ମା ଗତିବିଧି ଉପରେ ନଜର ରଖି ସୂଚନା ଦେଇଥିଲା । ସୂଚନା ପାଇବା ମାତ୍ରେ ଆକାଶ ଦ୍ରୁତ ଗତିରେ ସ୍କର୍ପିଓ ଚଲାଇ ତାଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା କରିଥିଲା । ସେହି ଗାଡ଼ିରେ ଅନ୍ୟତମ ଅଭିଯୁକ୍ତ ଅରବିନ୍ଦ ଶର୍ମା ମଧ୍ୟ ଉପସ୍ଥିତ ଥିଲା । ଏହାକୁ ଏକ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରାଯାଇଥିଲେ ବି ଆୟୁଷୀଙ୍କ ମାମୁଁ ରାକେଶ ପୁଲିସ ଆଗରେ ସନ୍ଦେହ ପ୍ରକାଶ କରିଥିଲେ । ପୁଲିସ ସମସ୍ତ ଦିଗକୁ ନେଇ ତଦନ୍ତ କରିବା ପରେ ପୂରା ସତ ସାମ୍ନାକୁ ଆସିଛି ।ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଆୟୁଷୀଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ତେବେ ଜଣେ ପ୍ରମୁଖ ଚକ୍ରାନ୍ତକାରୀ ଏବେ ମଧ୍ୟ ଫେରାର ଥିବା ବେଳେ, ତାଙ୍କୁ ଧରିବା ପାଇଁ ତଲାସି ଜାରି ରହିଛି। ମା’-ଝିଅର ପବିତ୍ର ସମ୍ପର୍କକୁ କଳଙ୍କିତ କରିଥିବା ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।