ପ୍ରେମିକା ଗଳା କାଟିବା ଘଟଣା : ପ୍ରେମ ପ୍ରତାରଣାରୁ ଜଘନ୍ୟ କାଣ୍ଡ, ସମ୍ପର୍କୀୟ ଶାଳୀ ଥାନାରେ ଅଟକ

କେନ୍ଦ୍ରାପଡ଼ାରେ ପ୍ରେମିକାଙ୍କ ଗଳା କାଟିବା ଘଟଣା । ମାମଲାର ତଦନ୍ତ ବେଳେ ପୋଲିସକୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ପ୍ରେମ ପ୍ରତାରଣାରୁ ଜଘନ୍ୟ କାଣ୍ଡ। ଧରା ପଡ଼ିଲା ମୁଖ୍ୟ ଅଭିଯୁକ୍ତ। ସମ୍ପର୍କୀୟ ଶାଳୀ ଥାନାରେ ଅଟକ। ଅନୈତିକ ସମ୍ପର୍କର ଲୋଭ ଦେଖାଇ ଭିଣୋଇକୁ ନିଛାଟିଆ ସ୍ଥାନକୁ ଡାକି ଶାଳୀ ରଚିଥିଲା ଷଡ଼ଯନ୍ତ୍ର। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବାଘୁଆଠେଙ୍ଗର ସତ୍ୟଜିତ ଷଡ଼ଙ୍ଗୀଙ୍କୁ ମଙ୍ଗଳବାର ରାତିରେ ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥର ହଜାରି-ଛଘରିଆ ମଧ୍ୟବର୍ତ୍ତୀ ଅଞ୍ଚଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତଦନ୍ତ ବେଳେ ସୂଚନା ମିଳିଛି କି ସତ୍ୟଜିତ ବିବାହିତ। ଦେଢ଼ବର୍ଷ ଆଗରୁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ରହିଛି । ତେବେ ପତ୍ନୀଙ୍କ ମୃତ୍ୟୁର କାରଣ ଏବେ ବି ରହସ୍ୟାବୃତ୍ତ । ତାଙ୍କର ଏକ ପୁତ୍ର ସନ୍ତାନ ରହିଛି । ସତ୍ୟଜିତ ତାଙ୍କର ଜଣେ କୌଣସି ସମ୍ପର୍କୀୟ ଶାଳୀଙ୍କ ସହ ପ୍ରେମ ସମ୍ପର୍କରେ ଥିବାରୁ ତାଙ୍କ ଶଶୁର ଘର ଲୋକେ ତାଙ୍କର ସମସ୍ତ ସମ୍ପତ୍ତି ପୁଅ ନାଁରେ କରାଇବାକୁ ଚାହୁଁଥିଲେ । ଯାହାକୁ ନେଇ ବିବାଦ ରହିଥିଲା ଓ ନିକଟରେ ଏହାର ସମାଧାନ ହେବାର ଥିଲା । ପତ୍ନୀଙ୍କ ମୃତ୍ୟୁ ପଛରେ ସତ୍ୟଜିତଙ୍କ ପରକୀୟା ପ୍ରୀତି ଥିଲା ବୋଲି ଚର୍ଚ୍ଚା ହେଉଛି । ପ୍ରତ୍ୟକ୍ଷଦର୍ଶୀ ଓ ସ୍ଥାନୀୟ ଅଞ୍ଚଳରୁ ଯାହା ସୂଚନା ମିଳୁଛି, ସତ୍ୟଜିତଙ୍କ ସହ ପ୍ରେମିକା ଏକ ସ୍କୁଟିରେ ଆସିଥିଲେ। ଏବେ ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥରେ କାମ ଚାଲିଥିବାରୁ ସେଠାରେ ନିର୍ମାଣ ପାଇଁ ଆସିଥିବା ବଡ଼ ସିମେଣ୍ଟ ଖୁଣ୍ଟ ପଡ଼ିରହିଛି । ମନ୍ଦ ଉଦ୍ଦେଶ୍ୟ ସାଧନ ଲାଗି ପ୍ରେମିକାଙ୍କ ସହ ସତ୍ୟଜିତ ହଜାରି-ଛଘରିଆ ମଧ୍ୟବର୍ତ୍ତୀ ସ୍ଥାନରେ ଅଟକିଥିଲେ। ଯାହାକି ନିଛାଟିଆ ଓ ଅନ୍ଧାରିଆ ଥିଲା । ଏଠାରେ ଅନୈତିକ ସମ୍ପର୍କ ରଖିବାକୁ ପ୍ରଲୋଭିତ କରି ପ୍ରେମିକା ତାଙ୍କୁ ଡାକି ନେଇଥିଲେ ଓ ସତ୍ୟଜିତ ତାଙ୍କ କଥା ବିଶ୍ୱାସ କରି ଚାଲି ଯାଇଥିଲେ । ଯାହାର ସୁଯୋଗ ନେଇ ପ୍ରେମିକା ଛୁରିରେ ତାଙ୍କ ଗଳାରେ ବାରମ୍ବାର ଆଘାତ ଦେଇ ଚାଲିଥିଲେ । ସତ୍ୟଜିତ ଗୁରୁତର ହୋଇପଡ଼ିବା ତଥା ଯନ୍ତ୍ରଣାରେ ଚିତ୍କାର କରିବା ଦେଖି ପ୍ରେମିକା ଧରାପଡ଼ିଯିବା ଭୟରେ ଘଟଣାସ୍ଥଳ ଛାଡ଼ି ଚାଲିଯାଇଥିଲେ। ତେବେ ପ୍ରେମିକା ଏକା ଆସିଥିଲେ ନା ତାଙ୍କ ସହ ଆଉ କିଏ ଏଥିରେ ସାମିଲ ଅଛନ୍ତି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ। ପୁଲିସ ପ୍ରେମିକାକୁ ପଚରାଉଚରା କରୁଥିବା ଜଣାପଡ଼ିଛି ।