ବିଜେପିରୁ ଇସ୍ତଫା ଦେଲେ ଅନ୍ନାମଲାଇ

ତାମିଲନାଡୁ ବିଜେପିର ଟାଣୁଆ ନେତା ତଥା ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ କେ ଅନ୍ନାମଲାଇ ବିଜେପିର ପ୍ରାଥମିକତା ସଦ୍ୟସତା ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ସ୍ବୀକାର କରିଛନ୍ତି । ଜୁନ ୨ ତାରିଖରେ ତାଙ୍କ ଇସ୍ତଫାକୁ ନେଇ ଅନ୍ନାମଲାଇ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ସାକ୍ଷାତ କରିଥିଲେ । ସେ ପାର୍ଟିର ହାଇକମାଣ୍ଡଙ୍କୁ ନିଜ ନିଷ୍ପତ୍ତି ବିଷୟରେ ଜଣାଇଥିଲେ ।କୁପ୍ପୁସାମୀ ଅନ୍ନାମଲାଇ ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ । ବିଜେପିରେ ଯୋଗଦେବା ଓ ଦକ୍ଷିଣ ଭାରତୀୟ ରାଜ୍ୟରେ ବିଜେପିର ନେତୃତ୍ୱ ନେବା ପରେ ତାମିଲନାଡୁରେ ଚର୍ଚ୍ଚିତ ହୋଇଯାଇଥିଲେ। ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ମାସକ ମଧ୍ୟରେ ବିଜେପିକୁ ତାମିଲନାଡ଼ୁରେ ଏତେ ବଡ଼ ଝଟ୍‌କା ମିଳିଛି। ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ବିଜେପି ଅନ୍ନାମଲାଇଙ୍କୁ ପ୍ରାର୍ଥୀ ନ କରିବା ପରେ ପୂର୍ବତନ ଆଇପିଏସ୍‌ ଦଳ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ଏଆଇଏଡିଏମ୍‌କେ ସହିତ ନିର୍ବାଚନୀ ମେଣ୍ଟ ଗଠନ କରିବାର ବିଜେପିର ନିଷ୍ପତ୍ତିରେ ସେ ଅସନ୍ତୁଷ୍ଟ ଥିଲେ ।