ମୌଳିକ ସମସ୍ୟା ସମାଧାନ ପାଇଁ ଆଦିବାସୀ ଅଧ୍ୟସିତ ବଡ଼ସିଲିଙ୍ଗା ପଂଚାୟତରେ ୨ଟିମଙ୍କ ସମୀକ୍ଷା

ଗଣିଆ (ବିଶ୍ୱରଂଜନ ସେଠି ) ନୟାଗଡ଼ ଜିଲା ଗଣିଆ ବ୍ଳକ ସ୍ଥିତ ଆଦିବାସୀ ଅଧ୍ୟସିତ ତଥା ଅନୁନ୍ନତ ଅଂଚଳଭାବେ ବଡ଼ସିଲିଙ୍ଗା ପଂଚାୟତ ବେଶ ପରିଚିତ । ଏଠାରେ ମୌଳିକ ସମସ୍ୟାରେ ଜର୍ଜରିତ ହେଉଛନ୍ତି ପଂଚାୟତବାସୀ । ମୁଖ୍ୟ ସମସ୍ୟା ପାନୀୟ ଜଳଠାରୁ ଆରମ୍ଭ କରି ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ମୌଳିକ ସମସ୍ୟା ଲାଗି ରହିଛି । ଅଂଚଳବାସୀମାନେ ବ୍ଳକ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରୀ କରୁଥିଲେ ମଧ୍ୟ ସେମାନଙ୍କର ସମସ୍ୟାର ସମାଧାନ ହୋଇପାରୁନାହିଁ । ଏଥିପାଇଁ ବିଭିନ୍ନ ସମୟରେ ବ୍ଳକ ଠାରୁ ଆରମ୍ଭ ଜିଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଗୁରୁବାର ଦିନ ଉକ୍ତ ପଂଚାୟତରେ ଥିବା ସମସ୍ୟାର ସମାଧାନ ପାଇଁ ବ୍ଳକର ୨ଗୋଟି ଟିମ ବଡ଼ସିଲିଙ୍ଗାରେ ପଂହଚି ଜନସାଧାରଣ ତଥା ଲୋକପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି । ଏଥିରେ ଗ୍ରାମ ପଂଚାୟତ ଅଧିକାରୀ ପ୍ରଫୁଲ କୁମାର ନାୟକ, ସମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ, ବଡ଼ସିଲିଙ୍ଗା ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ସ୍ୱାଇଁ, ଛାମୁଣ୍ଡିଆ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମଳୟ କୁମାର ପଟନାୟକ, ରାସଙ୍ଗ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୁନିଲ କୁମାର ବେହେରା ଓ ସ୍ଥାନୀୟ ଯୋଗାଣ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଲୋକମାନଙ୍କ ସମସ୍ୟା କିଭଳି ତୁରନ୍ତ ସମାଧାନ ହୋଇପାରିବ ସେନେଇ ବ୍ଳକ ପ୍ରଶାସନ ତୁରନ୍ତ ଗ୍ରହଣ କରିବ ନେଇ ପ୍ରତିଶୃତି ଦେଇଥିଲେ । ପଂଚାୟତରେ ଥିବା ଅନେକ ସମସ୍ୟା ସଂପର୍କରେ ଜନସାଧାରଣ ଅଭିଯୋଗ କରିଥିଲେ।