ରଥଯାତ୍ରା ପୂର୍ବରୁ ବଡ଼ଦେଉଳ ଉପରେ ଉଡ଼ିଲା ଡ୍ରୋନ୍

ପୁଣି ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ପୁଣି ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଁ ଜୋନ୍ ରେ ଉଡିଲା ଡ୍ରୋନ୍ । ଆଜି ସକାଳ ପ୍ରାୟ ୫:୩୦ ମିନିଟରେ ଡ୍ରୋନଟି ଉଡୁଥିଲା । ଦୀର୍ଘ ସମୟ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଡ୍ରୋନ୍ ଉଡିବା ସହ ଶ୍ରୀମନ୍ଦିର ଭିତର ବେଢାର ଦୃଶ୍ୟକୁ କଏଦ୍ କରିଛି । ଏହି ଖବରପାଇ ତୁରନ୍ତ ପୋଲିସ ଡ୍ରୋନକୁ ଧରିବା ପାଇଁ ଉଦ୍ୟମ କରି ସେଥିରେ ସଫଳ ହୋଇଥିଲା।ତେବେ ଡ୍ରୋନ୍ ଉଡାଉଥିବା ଯୁବକ ଜଣକ କୋଲକାତାର ଜୟକୃଷ୍ଣ ମଣ୍ଡଳ। ପୋଲିସ ସମ୍ପୃକ୍ତ ଯୁବକକୁ ସିଂହଦ୍ୱାର ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି। ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଶ୍ରୀମନ୍ଦିର ଉପରେ ଓ ଏହାର ଚତୁଃପାର୍ଶ୍ଵରେ ଡ୍ରୋନ୍ ଉଡ଼ାଇବା ଦଣ୍ଡନୀୟ ଅପରାଧ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।